ମୁଖ୍ୟ ଖବର ଛେଣ୍ଡିପଦା ହେବ କୋଇଲା ହବ୍ Angul OnlineJune 26, 2024June 26, 2024 ଅନୁଗୁଳ – ପୁଣିଥରେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ୧୦ଟି କୋଲ୍ ବ୍ଲକ୍ ରହିଛି । ପୂର୍ବରୁ ଏହି ଛେଣ୍ଡିପଦା ଅଂଚଳରୁ ପ୍ରାୟ ୧୦ଟି କୋଲ୍ ବ୍ଲକ୍ ଆବଣ୍ଟନ କରାଯାଇଥିଲା । ଏଣୁ ଆସନ୍ତା ଦିନରେ ଛେଣ୍ଡିପଦା କୋଇଲାର ହବ୍ ହେବାକୁ ଯାଉଛି । ଏପଟେ ଏଥିପାଇଁ ସବୁଜ ଛେଣ୍ଡିପଦାର ସୌନ୍ଦର୍ଯ୍ୟ ଉଜୁଡ଼ିଯିବା ନିଶ୍ଚିତ ହୋଇଛି । ଅନୁଗୁଳ ମାଟି ତଳେ ପ୍ରଚୁର କୋଇଲା ରହିଛି । ବିଶେଷକରି ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକ୍ରେ ବିପୁଳ ପରିମାଣର କୋଇଲା ଗଚ୍ଛିତ ହୋଇ ରହିଛି । ତାଳଚେର ଓ କଣିହାଁରେ କୋଇଲା ଖନନ ଚାଲିଥିଲା ବେଳେ ଏବେ ଛେଣ୍ଡିପଦାର ବିଭିନ୍ନ କୋଲ୍ ବ୍ଲକ୍ରୁ କୋଇଲା ଉତ୍ତୋଳନ ପାଇଁ ପ୍ରକ୍ରିୟା ଚାଲିଛି । ଦୁଇଟି କୋଲ୍ ବ୍ଲକ୍ରୁ କୋଇଲା ଖୋଳା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ, ଛେଣ୍ଡିପଦା ବ୍ଲକ୍ରେ ୩୧ଟି କୋଇଲା ଖଣି କରିବାକୁ କୋଲ୍ ବ୍ଲକ୍ ଚିହ୍ନଟ କରାଯାଇଥିଲା । ଏ ଭିତରେ ୧୦ରୁ ଅଧିକ କୋଲ୍ ବ୍ଲକ୍ ଆବଣ୍ଟନ ଶେଷ ହୋଇ ସାରିଲାଣି । ଉତ୍କଳ-ଡି ଓ ଉତ୍କଳ-ଇ କୋଲ୍ ବ୍ଲକ୍ ପାଇଥିବା ନବରତ୍ନ କଂପାନି ନାଲ୍କୋ ପକ୍ଷରୁ ଏ ଭିତରେ କୋଇଲା ଖୋଳା ଆରମ୍ଭ ହୋଇଛି । ସେହିପରି ଜେଏସ୍ପିଏଲ୍ ପାଇଥିବା କୋଲ୍ ବ୍ଲକ୍ରୁ କୋଇଲା ଉତ୍ତୋଳନ ଆରମ୍ଭ କରିଛି । ଆବଣ୍ଟିତ ଅନ୍ୟ କୋଲ୍ ବ୍ଲକ୍ଗୁଡ଼ିକରୁ କୋଇଲା ଖୋଳିବା ପାଇଁ ପ୍ରକ୍ରିୟା ଜୋରସାର୍ରେ ଚାଲିଛି । ବିସ୍ଥାପନ ଓ ଥଇଥାନ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ କୋଇଲା ଖୋଳା ଆରମ୍ଭ ହୋଇନି । ତେବେ ବର୍ଷକ ଭିତରେ ପାଖାପାଖି ୮ ଟି କୋଲ ବ୍ଲକ୍ରୁ କୋଇଲା ଖୋଳା ଆରମ୍ଭ ହେବାର ସମ୍ଭାବନା ରହିଛି । ସିଙ୍ଗାରେଣି ଓ ଏମ୍ସିଏଲ୍ ପକ୍ଷରୁ କୋଇଲା ଖୋଳା ନେଇ ପ୍ରକ୍ରିୟା ଆଗେଇଥିବାରୁ କୌଣସି ସମୟରେ ବି ଏହା ଆରମ୍ଭ ହୋଇପାରେ । ଠିକ୍ ଏହିସମୟରେ ଛେଣ୍ଡିପଦାରେ ଥିବା ନୂଆ ପାତ୍ରପଡ଼ା ଉତ୍ତର, ନୂଆ ପାତ୍ରପଡ଼ା ଦକ୍ଷିଣ, ମହାନଦୀ ସଂଶୋଧିତ, ମନ୍ଦାକିନୀ-ବି, ଅରଖପାଳ ଶ୍ରୀରାମପୁର ଉତ୍ତର, କରଡ଼ାବାହାଳ-ବ୍ରାହ୍ମଣବିଲି (ସଂଶୋଧିତ), କୋଶଳା ପୂର୍ବ, କୋଶଳା ପଶ୍ଚିମ, ଫୁଲଝରୀ ପୂର୍ବ ଓ ଫୁଲଝରୀ ପଶ୍ଚିମ କୋଲ ବ୍ଲକ୍କୁ ନିଲାମ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳରେ କୋଇଲା ଖୋଳିବା ପାଇଁ ବିଭିନ୍ନ କଂପାନି ଆଗ୍ରହ ପ୍ରକାଶ କରୁଥିବାରୁ ଏହାର ନିଲାମରେ ବିଶେଷ ସମସ୍ୟା ହେବନି ବୋଲି ଅନୁମାନ କରାଯାଉଛି ।ଛେଣ୍ଡିପଦାରେ ଥିବା ବୈତରଣୀ ପୂର୍ବ କୋଲ୍ ବ୍ଲକ୍ରେ ପରୀକ୍ଷାମୂଳକ ଭାବେ ସେଥିରୁ ୪୦ ଏକର ଜମିରେ କୋଇଲା ଖଣି ଆରମ୍ଭ ପାଇଁ ୧୯୯୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରେ ଜମି ଅଧିଗ୍ରହଣରେ ସମସ୍ୟା ପାଇଁ ୨୦୦୮ରୁ ଖଣି ବନ୍ଦ ହୋଇ ରହିଛି । ୧୦ ବର୍ଷ ପୁର୍ବରୁ ବେଆଇନ ଖଣି ଆବଣ୍ଟନ ଦର୍ଶାଇ ସୁପ୍ରିମକୋର୍ଟ ପାତ୍ରପଡ଼ା, ମାଛକୁଟା, ରାଧିକାପୁର (ପୂର୍ବ), ରାଧିକାପୁର(ପଶ୍ଚିମ), ଉତ୍କଳ (ବି), ଉତ୍କଳ (ସି), ଉତ୍କଳ (ଡି) କୋଲ୍ ବ୍ଲକ୍ ମିଳିଥିବା ଖଣିକୁ ବାତିଲ କରିଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବୈତରଣୀ (ପଶ୍ଚିମ)କୁ ଓଏମ୍ସି, ନୟନୀ କୋଲ୍ ବ୍ଲକ୍କୁ ସିଙ୍ଗାରେଣି କମ୍ପାନି ଏବଂ ଉତ୍କଳ (ଡି) ଓ ଉତ୍କଳ (ଇ)କୁ ନାଲ୍କୋକୁ ପ୍ରଦାନ କରାଯାଇଥିଲା । ସେହିପରି ଜେଏସପିଏଲ୍କୁ ଉତ୍କଳ (ବି୧), (ବି୨) ଓ (ସି), ଆଦିତ୍ୟ ବିର୍ଲାର ଏସେଲ୍ ମାଇନ୍ସକୁ ରାଧିକାପୁର (ପୂର୍ବ), ବେଦାନ୍ତକୁ ରାଧିକାପୁର (ପଶ୍ଚିମ) ଏବଂ ୟାଜଦାନୀକୁ ବଂଖୁଇ କୋଲ୍ ବ୍ଲକ୍ ମିଳିଥିଲା । ଦେଶରେ କୋଇଲା ସଙ୍କଟକୁ ଟାଳିବା ପାଇଁ କୋଇଲା ଖନନ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବାରୁ ଏହି ସବୁ କୋଲ୍ ବ୍ଲକ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ଯାବତୀୟ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏଠାରେ କୋଇଲା ଖୋଳା ଆରମ୍ଭ ହେଲେ ସାଧାରଣ ଜୀବନ ଉପରେ ସାଂଘାତିକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ଛେଣ୍ଡିପଦାର ଚାଷ ଉଜୁଡ଼ିଯିବା ସହ ପାଣି, ପବନ ଉପରେ ଏହାର କୁପ୍ରଭାବ ପଡ଼ିବ । Advertisement
ଉପ ବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ଅନୁଗୁଳ – ସଡ଼କ ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ। ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ବଲଙ୍ଗ ଗାଁକୁ କୌଣସି…
ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି…
ବନ ବିଭାଗର ଘଡିଆଳ ଶାବକ ଚିନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡର ଅକାତ କାତ ପାଣିରେ ହଜି ଯାଇଛନ୍ତି ନବଜାତକ ଘଡ଼ିଆଳ ଶାବକ । ବନ ବିଭାଗ ପକ୍ଷରୁ ବହୁ…