ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଳଚେର ବିଜୟୀ

ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଳଚେର ବିଜୟୀ

ଅନୁଗୁଳ – ଅନୁଗୁଳ ମର୍ଣ୍ଣିଷ୍ଟାର୍‌ କ୍ରିକେଟ କ୍ଲବ ତରଫରୁ ଷଷ୍ଠ ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ସ୍ଥାନୀୟ କଦମ ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଘର ସଂପାଦକ ସାଗରନାଥ ମିଶ୍ର ଯୋଗଦେଇଥିଲେ । ପ୍ରଥମ ମ୍ୟାଚ୍‌ ଚାର୍ଜର୍‌ ଏକାଦଶ ଏବଂ ତାଳଚେର ଦେଉଳବେଡ଼ା କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚାର୍ଜର ଏକାଦଶ ଦଳ ନିର୍ଦାରିତ ୧୫ ଓଭର୍‌ରେ ୬ ଉଇକେଟ୍‌ ହରାଇ ୧୪୮ରନ୍‌ କରିଥିଲା । ଦଳ ତରଫରୁ ସତ୍ୟରଞ୍ଜନ ସର୍ବାଧିକ ୬୬ ଏବଂ ରଞ୍ଜନ ୪୨ ରନ୍‌ କରିଥିଲେ । ଜବାବରେ ତାଳଚେର ଦଳ ୧୩ଓଭର୍‌ରେ ୪ଟି ଉଇକେଟ୍‌ ହରାଇ ୧୫୧ ରନ୍‌ କରି ବିଜୟୀ ହୋଇଥିଲା । ତାଳଚେରର ସୁଜଲ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ରେ ପୁରସ୍କୃତ କରାଯାଇଥିଲା । ସମାଜଅନୁଗୁଳ ସଂସ୍କରଣ ଶାଖା ପରିଚାଳକ ନିରଞ୍ଜନ ହୋତା ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଆମ୍ପାୟର୍‌ ଭାବେ ଅଞ୍ଜନ କର ଏବଂ ସଞ୍ଜୀବ କୁମାର ପାତ୍ର ଖେଳ ପରିଚାଳନା କରିଥିଲେ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଉଛନ୍ତି । ବୁଧବାର ବିଏମ୍‌ସିସି ଅନୁଗୁଳ ଏବଂ ବିସିସି ଅନୁଗୁଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply