ଘରେ ନିଆଁ ଲଗାଇ ହତ୍ୟା ଘଟଣା – ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଘରେ ନିଆଁ ଲଗାଇ ହତ୍ୟା ଘଟଣା – ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ୨୦୧୬ ମସିହାରେ ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ନିଆଁ ଲାଗାଇ ମାରି ଦେଇଥିଲା । ଏହି ଘଟଣାରେ ଅଭିଯୁକ୍ତ ପାଲଲହଡାର ଅନାମ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରା ଯାଇଛି । ସୂଚନା ଅନୁସାରେ ଛବି ନାଏକଙ୍କ ପରିବାର ସହ ଅନାମଙ୍କ ପରିବାର ସନ୍ତୋଷୀ ମା ମନ୍ଦିର ନିକଟରେ ରହି ଆସିଥିଲେ । ତେବେ ଉଭୟ ପଡୋଶୀ ହୋଇଥିବା ବେଳେ ଅନାମ ଅନେକ ସମୟରେ ମଦ୍ୟପାନ କରି ଗାଳିଗୁଲଜ କରିବା ସହ ଛବି ନାଏକଙ୍କ ପରିବାର ସହ ତାଙ୍କର ଝଗଡା ହୁଏ । ୨୦୧୬ ମସିହା ଫେବୃୟାରୀ ୨୮ ତାରିଖରେ ମଧ୍ୟ ଉଭୟ ପରିବାରର ଝଗଡା ହୋଇଥିଲା । ତେବେ ଝଗଡା ହେବାର କିଛି ଘଣ୍ଟା ପରେ ରାତି ପ୍ରାୟ ୮ ଟା ବେଳେ ଛବି ଘରେ ଶୋଇଥିବା ବେଳେ ଅନାମ ଘରର ଚାରି ପାଖରୁ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲା । ତେବେ ନିଆଁ ଏତେ ବ୍ୟାପକ ଥିଲା ଯେ ଛବି ନାଏକ ଘରୁ ବାହାରି ନପାରି ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଛବିଙ୍କ ବାପା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଜିଲ୍ଲା ଓ ଦୌରାଜଜ ପ୍ରଣବ କୁମାର ପାତ୍ର ଅଭିଯୁକ୍ତ ଅନାମକୁ ଦଫା ୪୩୬ ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମନା , ଅନାଦେୟ ଅଧିକ ୪ ମାସ କାରାଦଣ୍ଡ ଓ ଦଫା ୩୦୨ ରେ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମନା , ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ଦେବତା ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply