ତାଳଚେର – ଗତ ୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦାଫାସ ତାଳଚେର ପୁଲିସ କରିଛି । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣା ପଡିଛି । ହତ୍ୟା ଘଟଣାରେ ତାଳଚେର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସବୁ କଥା ମାନି ଯାଇଥିବା ପୁଲିସ କହିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଆନନ୍ଦ ନାଏକ ହୋଇଥିବା ବେଳେ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି । ଅନୁଗୁଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।
ଏପ୍ରିଲ ମାସ ୨୭ ତାରିଖରୁ ଦେଉଳବେଡା ଅଞ୍ଚଳର ବିଶ୍ୱଜିତ ନାଏକ ଘରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ବିଶ୍ଵଜିତଙ୍କ ପରିବାର ପକ୍ଷରୁ କୋଲିୟାରୀ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହାର ୧୦ ଦିନ ପରେ ବିଶ୍ଵଜିତଙ୍କ ଗଳିତ ମୃତ ଦେହ ମିଳିଥିଲା । ତାଳଚେର ଶିବରାମପୁର ଗ୍ରାମ ନିକଟସ୍ଥ ରାସ୍ତା ପାଖ ଜଙ୍ଗଲର ଏକ ନାଳରୁ ତାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିଲା । ଏହାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସନ୍ଧାନୀକୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲା । ତଦନ୍ତ ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।
ସାମ୍ବାଦିକ ସମ୍ମିଳନୀରେ ଏସ.ପି. ରାହୁଲ ଯାଇନଙ୍କ କହିବା ଅନୁସାରେ ତଦନ୍ତ ସମୟରେ ଜଣାଗଲା ଯେ ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ଆନନ୍ଦ ନାଏକ, ନନ୍ଦୁ @ ସତ୍ୟପ୍ରକାଶ ନାଏକ ସହିତ ବିଶ୍ଵଜିତ ନାଏକଙ୍କର ମନୋମାଳିନ୍ୟ ଥିଲା । ତେଣୁ ଆନନ୍ଦ ନାଏକ ଓ ନନ୍ଦୁ @ ସତ୍ୟପ୍ରକାଶ ନାଏକ ମିଶି ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସେମାନେ ଏକ ବେନାମୀ ମୋବାଇଲ ସିମ ଓ ଏକ ନୂଆ ମୋବାଇଲ ଫୋନ କିଣି ଗତ ୨୫.୦୪.୨୦୨୫ ରିଖ ଠାରୁ ବିଶ୍ଵଜିତ ସହିତ ସେହି ସିମରେ କଥା ହେଉଥିଲେ । ଯୋଜନା ମୁତାବକ ଗତ ତା ୨୭.୦୪.୨୦୨୫ ଋଖ ଦିନ ପ୍ରାୟ ୦୧.୩୦ ମିନିଟ ହେବ ଆନନ୍ଦ ନାଏକ ଓ ନନ୍ଦୁ @ ସତ୍ୟପ୍ରକାଶ ନାଏକ ମିଶି ବିଶ୍ଵଜିତକୁ ଡାକି ଦେଉଳବେଡାରେ ଥିବା ଗ୍ରୀନଗ୍ରାସ ଷ୍ଟାଡିୟମ ପାଖକୁ ଡ଼ାକିଥିଲେ । ବିଶ୍ଵଜିତ ର ଆସିବା ବାଟ କୁ ଅପେକ୍ଷା କରି ଆନନ୍ଦ ନାଏକ, ନନ୍ଦୁ @ସତ୍ୟପ୍ରକାଶ ନାଏକ ଓ ନନ୍ଦୁ ର ଜଣେ ସାଥି ଏକ ସିଆଜ କାର ଯାହାର ନମ୍ବର OD 33 Q 8989 ରେ ଅପେକ୍ଷା କରି ବସିଥିଲେ । ବିଶ୍ଵଜିତ ନାଏକ ତାଙ୍କ ସ୍କୁଟିରେ ଆସି ତାଙ୍କ ପାଖରେ ପହଞ୍ଚିବା ପରେ ତାକୁ ସେମାନେ କାରର ଆଗ ସିଟରେ ବସାଇ ଅପରାହ୍ନରେ ଏକଡାଳ ଗ୍ରାମ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ବିଶ୍ଵଜିତ ର ସ୍କୁଟି ନନ୍ଦୁ ର ଜଣେ ସାଙ୍ଗ ଚଲାଇ ନେଇଥିଲେ । ଏକଡାଳ ଜଙ୍ଗଲରେ ସେମାନେ ଅପେକ୍ଷା କରିବା ସମୟରେ ନନ୍ଦୁର ଆଉ ଦୁଇ ଜଣ ସାଙ୍ଗ ଓ ସ୍କୁଟି ନେଇ ଯାଇଥିବା ସାଥି ସେଠାରେ ଏକତ୍ରିତ ହୋଇଥିଲେ । ସନ୍ଧ୍ଯା ହେବା ପରେ ସେମାନେ ବିଶ୍ଵଜିତ ନାଏକକୁ ଶିବରାମପୁର ଗ୍ରାମ ପାଖକୁ ନେଇଥିଲେ ଓ ସେଠାରେ ଏକ କୋଇଲା ବୋଝେଇ ଟ୍ରକ ପଛ ଚକା ତଳେ ବିଶ୍ଵଜିତ ନାଏକକୁ ଶୁଆଇ ଟ୍ରକରେ ଶୋଈଥିବା ଡ୍ରାଇଭରକୁ ହଠାତ ଉଠାଇ ତାକୁ ଆତଙ୍କିତ କରିବାରେ ସେ ଡ୍ରାଇଭରଟି ସେଠାରୁ ଟ୍ରକ ନେଇ ପଳେଈ ଯିବାରୁ ଟ୍ରକର ପଛ ଚକା ବିଶ୍ଵଜିତ ନାଏକର ମୁଣ୍ଡ ଓ ଶରୀର ର କିଛି ଅଂଶ ରେ ଚଢି ଯିବାରୁ ବିଶ୍ଵଜିତର ମୃତ୍ୟୁ ହୋଇଥିଲା । ଏହା କୁ ଆକ୍ସିଡେଣ୍ଟର ରୂପ ଦେବା ପାଇଁ ସେହି ରାସ୍ତା କଡ ରେ ଥିବା ନାଳ ଭିତରକୁ ବିଶ୍ଵଜିତ ର ସ୍କୁଟି କୁ ଫୋପାଡି ଦେବା ପରେ ବିଶ୍ଵଜିତ ର ମୃତ ଶରୀର କୁ ମଧ୍ୟ ଭିଡି ନେଇ ନାଳ ଭିତରେ ପକାଇ ଦେଇଥିଲେ ।
ଏହି ଘଟଣାରେ ପୁଲିସ ଶାଳଗାଡିଆ ଗାଁର ଆନନ୍ଦ ନାଏକକୁ ଗିରଫ କରିବା ସହ ଏକ ଗୋଟିଏ ସିଆଜ କାର ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଜାରି ରଖିଛି ।