ତାଳଚେର – ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ । ଏହି ହତ୍ୟା ମାମଲାରେ ୧୯ ଜଣ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଆଜି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା କରାଯାଇଛି । ସୂଚନା ଅନୁସାରେ ୨୦ ସେପ୍ଟେମ୍ବର ୨୦୧୯ ମସିହାରେ ପାଲଲହଡା ଥାନାର ସୋଲଡା ଗାଁରେ ଗୋଦେଇ କୁଙ୍କାଲଙ୍କ ଛେଳି ଓ କୁକୁଡା ସୁବେଦାର ସୋରେନଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିବାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ସୁବେଦାର ଏକ ଟାଙ୍ଗିଆ ଆଣି ଗୋଦେଇକୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଗୋଦେଇଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତ ଗୋଦେଇଙ୍କ ସ୍ୱାମୀ ପାଲଲହଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଜ୍ୟୋତି ପ୍ରକାଶ ମହାପାତ୍ର ,ନିର୍ମଳ କୁମାର ତ୍ରିପାଠୀ ଓ ନରେଶ ଚନ୍ଦ୍ର ନାୟକ ସରକାରଙ୍କ ପକ୍ଷରୁ ଏହି କେଶକୁ ପରିଚାଳନା କରିଥିଲେ ।
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
