ଅନୁଗୁଳ – ଅନୁଗୁଳ ସହର ନାଖରାସାହିରେ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଦୀପ ସାମନ୍ତରାୟ ଓରଫ ମଣ୍ଟୁକୁ ପୁଲିସ ଗିରଫ କରିଛି । ତେବେ ରଙ୍ଗ କାମକୁ ନେଇ ଗୋଇଥିବା ବଚସାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ ସୁଦୀପ ଓରଫ ମଣ୍ଟୁ ଜଣେ ରଙ୍ଗ ଠିକାଦାର ହୋଇଥିବା ବେଳେ ସରୋଜ ବେହେରା ନାମକ ଜଣେ ଯୁବକ ତା ପାଖରେ କାମ କରୁଥିଲା । ତେବେ ସୁଦୀପ ଠାରୁ ସରୋଜ କାମ କରିବ ବୋଲି କିଛି ଅଗ୍ରୀମ ଟଙ୍କା ନେଇଥିବା ସତ୍ୱେ କାମ କରୁ ନଥିଲା । ଗତକାଲି ହୋଲି ଖେଳ ବେଳେ ସୁଦୀପ କ୍ଳବ ଘର ଆଗରେ ବସିଥିବା ବେଳେ ସରୋଜ ସେହିବାଟ ଦେଇ ଯାଉଥିବା ବେଳେ ସରୋଜ ଟଙ୍କା ନେଇ କାମ କରୁ ନଥିବା ଯୋଗୁଁ ସୁଦୀପ ଝଗଡା କରିଥିଲା। ଉଭୟଙ୍କ ମଧ୍ୟରେ ଝଗଡା ବେଳେ ନାଖରାସାହିର ଆଜାଦ ହୁସେନ ସେଠାରେ ପହଞ୍ଚି ଝଗଡ଼ାରେ ହସ୍ତକ୍ଷେପ କରିବା ସହ ସରୋଜକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ସୁଦୀପକୁ ଆଜାଦ ହୁସେନ ଏକ ଧକ୍କା ମଧ୍ୟ ପକାଇଥିଲା । ସେହି ରାଗରେ ସୁଦୀପ ଏକ ବେଣ୍ଟ ନଥିବା ଟାଙ୍ଗୀ ଧରି କ୍ଳବ ଆଗରେ ବସି ରହିଥିଲା । ଦିନ ପ୍ରାୟ ୩ ଟା ବେଳେ ଆଜାଦ ହୋଲି ଖେଳି ସାରି ଘରକୁ ଫେରିବା ବେଳେ ସୁଦୀପ ଟାଙ୍ଗୀରେ ଆଜାଦର ପେଟ , ବେକ ଓ ଛାତିକୁ ଆକ୍ରମଣ କରିଥିଲା । ରକ୍ତାକ୍ତ ଅବସ୍ଥାରେ ଆଜାଦ ପଡିଥିବା ବେଳେ ସୁଦୀପ ଚମ୍ପଟ ମାରିଥିଲା । ଆଜାଦର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ଏହି ଘଟଣାରେ ପୁଲିସ ସୁଦୀପକୁ ଗିରଫ କରିବା ସହ ତା ନିକଟରୁ ଟାଙ୍ଗୀ ଓ ରକ୍ତଭିଜା ଲୁଗା ଜବତ କରିଛି ।
ଆଜାଦ ହତ୍ୟାକାରୀ ସୁଦୀପ ଗିରଫ
