ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର ପୁନଃରୁଦ୍ଧାର କାମ ଜୋରସୋରରେ ଚାଲିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି NTPC TTPS ର HOP ବିଜୟ ଚାନ୍ଦ । ୧୯୬୭ ମସିହାରେ ୪୬୦ ମେଗାୱାଟର ପାୱାର ପ୍ଲାଣ୍ଟ NTPC TTPS କୁ ଅସୁରକ୍ଷିତ ମନେ କରି ୨୦୨୧ ମସିହାରେ ବନ୍ଦ କରି ଦିଆ ଯାଇଥିଲା । ପୁରୁଣା ପ୍ଲାଣ୍ଟକୁ ବଦଳାଇ ସେଠାରେ ଅତ୍ୟାଧୁନିକ ଶୈଳୀରେ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା ପରେ ଏବେ ଜୋରସୋରରେ ପ୍ଲାଣ୍ଟର ନିର୍ମାଣ କାମ ଚାଲିଛି । ଏହି ପ୍ଲାଣ୍ଟରେ ଦୁଇଟି ୟୁନିଟ ହେବାକୁ ଥିବା ବେଳେ ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା ପ୍ରଥମ ୟୁନିଟ ସାରିବାକୁ କାମ ଜୋରସୋରରେ ଚାଲିଛି । ଏହି ପ୍ରଥମ ୟୁନିଟ କାର୍ଯ୍ୟକ୍ଷମ ହେବ ପରେ ୨୦୨୭ ଡିସେମ୍ବରରେ ଦ୍ଵିତୀୟ ୟୁନିଟ କାମ ସାରିବାକୁ ନିଷ୍ପତ୍ତି ନିଆ ଯାଇଛି । ଉଭୟ ୟୁନିଟରୁ ୬୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବ । ଯାହାର ୫୦ ପ୍ରତିଶତ ବିଜୁଳି ଓଡିଶାକୁ ଦିଆଯିବ ଏବଂ ବାକି ୫୦ ପ୍ରତିଶତ ଅନ୍ୟ ଜିଲ୍ଲାକୁ ଦିଆଯିବ । ଏହା ସହ ଭାରତ ବର୍ଷର ସବୁଠାରୁ ଶସ୍ତା ବିଜୁଳି ହେବ । ଏଥିପାଇଁ ବର୍ତ୍ତମାନ ଏଠାରେ ତିନି ହଜାର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଆଉ ଏଥିପାଇଁ ସାଢ଼େ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଏହି ବନ୍ଦ ହୋଇ ଯାଇଥିବା ପ୍ଲାଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହେଲେ ଓଡିଶାକୁ ଅଧିକ ବିଜୁଳି ମିଳିବ । ଏହା ସହ ଆଖପାଖ ଅଞ୍ଚଳର ମଧ୍ୟ ଉନ୍ନତି ହେବ ବୋଲି ଆଶା କରାଯାଉଛି । ତେବେ NTPC TTPS ଏବେଠାରୁ ଜିଲ୍ଲାର ପ୍ରଦୂଷଣକୁ ଆଖି ଆଗରେ ରଖିଛି । ଏଥିପାଇଁ ଏହି ପ୍ଲାଣ୍ଟକୁ ସୁପର କ୍ରିଟିକାଲ ଟେକ୍ନୋଲୋଜିରେ ନିର୍ମାଣ କରାଯାଉଛି । ଯେଉଁଥିରେ ଅଳ୍ପ କୋଇଲାରେ ବେଶୀ ବିଜୁଳି ଉତ୍ପାଦନ କରିବା । ଏହା ସହ ପ୍ଲାଣ୍ଟର ଚିମିନି ରେ ESP ସହ FGD ବ୍ୟବସ୍ଥା ରହିବ , ଯାହାଦ୍ୱାରା ସଲଫର ଡାଇଅକ୍ସାଇଡ଼ ପବନରେ ମିଶିବ ନାହିଁ । ଏହା ସହ ଓଦା ପାଉଁଶ ବଦଳରେ ଶୁଖିଲା ପାଉଁଶ ବାହାର କରି ବନ୍ଦ ହୋଇ ଯାଇଥିବା କୋଇଲା ଖଣିରେ ପକାଯିବ । ଏତଦବ୍ୟତୀତ ଜିରୋ ଡିସଚାର୍ଜ ପଲିସିରେ ଗୋଟିଏ ବୁନ୍ଦା ପାଣି ବାହାରକୁ ଛଡା ଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ଲାଣ୍ଟର HOP ବିଜୟ ଚାନ୍ଦ କହିଛନ୍ତି । କେବେଳ ସେତିକି ନୁହେଁ ବୃକ୍ଷ ରୋପଣକୁ ଗୁରୁତ୍ୱ ମଧ୍ୟ ଦିଆ ଯାଉଥିବା ସେ କହିଛନ୍ତି ।
ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ଅଂଚଳରେ ତଥା ଜିଲାରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ପ୍ଲାଣ୍ଟର କାମ ଜୋରସୋରରେ ଚାଲିଥୁବା ବେଳେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେଲେ ଅଂଚଳର ଖୁସି ପୁଣି ଫେରି ପାଇବ ବୋଲି ଆଶା କରାଯାଉଛି ।