ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ

ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ବନ୍ଦ କରି ଦିଆ ଯାଇଛି । ଦୀର୍ଘ ୫୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ରାଜ୍ୟବାସୀଙ୍କୁ କ୍ରମାଗତ ଭାବେ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲେ ସୁଦ୍ଧା ବର୍ତ୍ତମାନ ଏନଟିପିସି ଟିଟିପିଏସ ବନ୍ଦ ହୋଇଯିବା ନେଇ ଉଠିଛି ବଡ଼ ଦ୍ଵନ୍ଦ । କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ପରିବେଶ ମଞ୍ଜୁରୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । କିନ୍ତୁ ତା ପୂର୍ବରୁ ହଠାତ ଆଜି ପ୍ଲାଣ୍ଟର ସମସ୍ତ ୬ ଟି ୟୁନିଟକୁ ବନ୍ଦ କରିଦିଆ ଯାଇଛି । ତେବେ ପରିବେଶ ମଞ୍ଜୁରୀ ଅବଧି ସରିବା ପୂର୍ବରୁ ପ୍ଲାଣ୍ଟ ବନ୍ଦ ହୋଇଯିବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।  ଗତକାଲି ସନ୍ଧ୍ୟାରେ ପ୍ଲାଣ୍ଟର ୧ ନମ୍ବର ଓ ୬ ନମ୍ବର ଦୁଇଟି ୟୁନିଟ ବନ୍ଦ ହୋଇଥିବା ବେଳେ ମଧ୍ୟ ରାତ୍ରିରୁ ଅବଶିଷ୍ଟ ଚାରି ୟୁନିଟ ବନ୍ଦ ହୋଇ ଯାଇଛି । ୪୬୦ ମେଗାୱାଟ ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇ ଯାଇଛି । ଏହି ପ୍ଲାଣ୍ଟକୁ ଏଭଳି ବନ୍ଦ କରି ଦିଆଗଲେ ୧୪୦୦ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହେବେ । ବିଭିନ୍ନ ଶ୍ରମିକ ସଂଗଠନଙ୍କ କହିବା ଅନୁଯାୟୀ ଏହାର ବଡ଼ ଧରଣର ପ୍ରଭାବ ସାରା ଓଡ଼ିଶାରେ ପଡିବ । ଆଉ ଏହାକୁ ନେଇ ଏବେ ଦେଖା ଦେଇଛି ଅସନ୍ତୋଷ ଓ ବିରୋଧର ସ୍ଵର । ମାର୍ଚ୍ଚ ୩୧ ରେ ପରିବେଶ ମଞ୍ଜୁରୀ ଶେଷ ହେବାକୁ ଥିବା ବେଳେ କିନ୍ତୁ ତା ପୂର୍ବରୁ ପ୍ଲାଣ୍ଟ ବନ୍ଦ ହୋଇଯିବା ନେଇ ସରକାରଙ୍କ ଦୋମୁହାଁ ନୀତି ଓ କମ୍ପାନୀ କତୃପକ୍ଷଙ୍କ ନିରବତା ଏବେ ଅଞ୍ଚଳବାସୀଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ୧୩୨୦ ମେଗା ୱାଟ ବିଶିଷ୍ଟ ନୂଆ ପ୍ଲାଣ୍ଟକୁ ତ୍ଵରାନିତ କରିବା ସହ ବର୍ତ୍ତମାନର ପ୍ଲାଣ୍ଟକୁ ଶୀଘ୍ର ପ୍ରଦୂଷଣ ନିୟନ୍ତ୍ରଣ କରି ଚଲେଇବାକୁ ପଦକ୍ଷେପ ନ ନିଅନ୍ତି ତେବେ ତାଳଚେରର ସମସ୍ତ କୋଇଲା ଖଣିରୁ ଉତୋଳନ ଓ ପରିବହନ ବନ୍ଦ କରିଦିଆଯିବ ବୋଲି ଶ୍ରମିକ ଏକତା ମଞ୍ଚ ସ୍ପଷ୍ଟ କରିଛି । ତେବେ ଏହି ପ୍ଳାଣ୍ଟର ସମସ୍ତ ୬ ୟୁନିଟ କାହିଁକି ବନ୍ଦ ହେଲା ଏବଂ ଆଗକୁ ପ୍ଳାଣ୍ଟ ଚାଲିବ ନା ନାହିଁ ସେ ନେଇ କମ୍ପାନୀ କର୍ତ୍ତୁପକ୍ଷ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply