ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି ।  ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିଲେ । ଯାହାକୁ ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି । ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ସହ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ । ଏନେଇ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ । ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । ପରେ ଏହି ମେଡିକାଲ କଲେଜର କୋଠା ନିର୍ମାଣ ସାରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କୋଠା ଉଦଘାଟନ କରିଥିଲେ ୫୦୦କୋଟି ଟଙ୍କା ଖର୍ଚ୍ଚରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହିତ କଲେଜରେ ୧୦୦ ସିଟ୍ ରହିବ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଡକ୍ଟର ଅଭାବ ପୂରଣ ହୋଇପାରିବ । ଆଜି ରାଜ୍ୟ ସରକାର ଏମସିଏଲକୁ ଏହି ଚିଠି ଲେଖିବା ପରେ ତାଳଚେର ତଥା ଅନୁଗୁଳରେ ଖୁସିର ଲହରୀ ଖେଳି ଯାଇଛି । ତାଳଚେର ବାସୀଙ୍କ ସମେତ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଦେଇଛନ୍ତି ।  

 

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply