ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ନରହନ୍ତା ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ନରହନ୍ତା ଦନ୍ତା ହାତୀ ଆକ୍ରମଣରେ ପ୍ରାୟ ଦୁଇ ମାସ ମଧ୍ୟରେ ୬ ଜଣରୁ ଉର୍ଦ୍ଧ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ଏହି ନର ହନ୍ତା ଦନ୍ତା ହାତୀଟି ଦୀର୍ଘ ଦିନ ହେବ କଣଲୋଇ ଗାଁ ନିଜଟସ୍ତ ଜଙ୍ଗଲରେ ରହୁଥିବା ବେଳେ ଅଧିକାଂଶ ସମୟ ଜନବସତି ମୁହାଁ ହୋଇଥାଏ । କିଛି ଦିନ ତଳେ ଏହି ନର ହନ୍ତା ଦନ୍ତା ଗାଁକୁ ପଶି ଦୁଇଟି ବଳଦକୁ ଆକ୍ରମଣ କରିଥିବା ବେଳେ ଗୋଟିଏ ବଳଦକୁ ମାରି ଦେଇଥିବା ବେଳେ ଅନ୍ୟଟି ମରଣ ସହ ସଂଗ୍ରାମ କରୁଛି । ଏହି ଘଟଣା ଗ୍ରାମବାସୀଙ୍କ ମନରୁ ନ ଲିଭୁଣୁ ଶନିବାର ସକାଳେ କଣଲୋଇ ଭଗମୁଣ୍ଡା ଗାଁରେ ଜୈନେକ ବୃଦ୍ଧ ଆମ୍ବ ଗୋଟାଇବାକୁ ଯାଇଥିବା ଶୁଣ୍ଢରେ କଚାଡି ମାରିଦେଇଛି । ମୃତକ ଜଣଙ୍କ ହେଲେ ସେହି ଗାଁର ପ୍ରସନ୍ନ ନାଏକ । ସୂଚନା ଅନୁସାରେ ପ୍ରସନ୍ନ ସକାଳେ ଘରପାଖ ଆମ୍ବ ଗଛରୁ ଆମ୍ବ ଗୋଟାଉ ଥିବା ବେଳେ ହଠାତ ନରହନ୍ତା ଦନ୍ତା ହାତୀଟି ତାଙ୍କ ଆଡ଼କୁ ମାଡି ଆସିଥିଲା । ଏହା ଦେଖି ପ୍ରସନ୍ନ ପଳାଇ ଯାଉଥିବା ବେଳେ ହାତୀଟି ଶୁଣ୍ଢରେ ଧରି କଚାଡି ମାରି ଦେଇଥିଲା । ବନବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ଦନ୍ତା ହାତୀକୁ ଘଉଡ଼ାଇ ଥିଲେ । ଏହି ଖବର ପାଇବା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନ ଦେଖା ଦେଇଥିଲା । ଦିର୍ଘ ଦିନ ହେବ ହାତୀଟି କଣଲୋଇ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ବନବିଭାଗ ହାତୀ ଘଉଡେଇବାରେ ବିଫଳ ହୋଇଛି । ଅନ୍ୟ ପକ୍ଷରେ ଗାଁ କୁ ପ୍ରତ୍ୟେକ ଦିନ ଦନ୍ତାହାତୀ ଆସି ଫସଲ ନଷ୍ଟ କରିବା ସହ ଲୋକ କ୍ଷୟକ୍ଷତି କରୁଛି । ଯାହାକୁ ନେଇ ଘଟଣା ସ୍ଥଳରେ ଦାନ୍ତାହାତୀକୁ ସ୍ଥାନାନ୍ତର ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁଚିସ୍ମିତା ମହାପାତ୍ର,ବାଗଡିଆ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ ।
ଛେଣ୍ଡିପଦା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ବନ୍ତଳାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଫସଲ ଖାଇବାକୁ ଆସିଥିବା ହାତୀର ସୋଲାର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପମ୍ପାସର ସେକ୍ସନ ତଳଶିରା ଗ୍ରାମର ରଞ୍ଜନ ପ୍ରଧାନଙ୍କ ବଗିଚାରେ ସୋଲାର ତାରରେ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଛି । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।