ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ମଙ୍ଗଳବାର ସେହି ଗାଁର ୪ ଜଣ ଯୁବକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ l ମହିଳା ଜଣଙ୍କ ଏହାର ବିରୋଧ କରିବା ସହିତ ତାଙ୍କର ଦୁଇ ଜଣ ପୁଅ ମଧ୍ୟ ଘଟଣା ସ୍ଥଳରେ ପହଁଚି ବିରୋଧ କରିଥିଲେ l ଏହାପରେ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ । ହେଲେ କିଛି ସମୟ ପରେ ସେମାନେ ଏକ ନମ୍ବର ବିହୀନ କାର୍ରେ ଆସି ମହିଳା ଓ ତାଙ୍କ ପୁଅଙ୍କ ସହ ଗଣ୍ଡଗୋଳ କରିଥିଲେ । ଜଣେ ଅଭିଯୁକ୍ତ ବନ୍ଧୁକ ବାହାର କରି ୩ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗୁଳି ନାବାଳକଙ୍କ ଜଙ୍ଘରେ ବାଜିଥିଲା । ଏହାପରେ ୪ଜଣ ଅଭିଯୁକ୍ତ କାର୍ରେ ଫେରାର ହୋଇଯାଇଥିଲେ । ଗୁରୁତର ନାବାଳକଙ୍କୁ ପରିବାର ଲୋକେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ଏ ନେଇ ନାବାଳକଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ପଡ଼ିଥିବା ଖୋକାକୁ ପୁଲିସ ଜବତ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ପୋଲିସ ବଅଁରପାଳ ଥାନା ମହୀଧରପୁର ଗାଁରେ ଚଢ଼ାଉ କରି ସାନ କେରଜାଙ୍ଗ ଗାଁର କାଳିଆ ମହାପାତ୍ରଙ୍କୁ ଗିରଫ କରି ପଚରାଉଚରା ଚଳାଇଛି l ତେବେ ଏହି ଘଟଣାରେ ସମୃକ୍ତ ଥିବା ଅନ୍ୟ ତିନି ଜଣ ଯୁବକଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି l
ଗୁଳିମାଡ଼ରେ ନାବାଳକ ଗୁରୁତର ଘଟଣାରେ ଜଣେ ଗିରଫ
![](https://angulonline.com/wp-content/uploads/2025/02/36-10.jpg)