ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ଣରେ ସରକାରୀ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍ର ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୩ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଡାକ୍ତରଖାନା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରୁ ପ୍ରାୟ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା । ସରକାରୀ ଯାତ୍ରୀବାହୀ ବସ୍ଟି ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ସମଲ ଥାନା ଅଧୀନ ଗହମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ସଂପୂର୍ଣ୍ଣ ରାସ୍ତା କଡକୁ ଓଲଟି ପଡ଼ିଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିଲା । ଡାକ୍ତରଖାନାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଲେ ଝାଡ଼ଖଣ୍ଡର ରାଧା ମୁଣ୍ଡା ଓ ମୟୁରଭଞ୍ଜର ସମୀର ମହନ୍ତ ବୋଲି ଜଣା ପଡିଛି । ୧୩ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ଯାଉଛି । ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ ଅଖତର , ଏସ୍ ପି ରାହୁଲ ଜୈନ ଅନୁଗୁଳ ଓ ତାଳଚେର ଡାକ୍ତରଖାନା ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାନ୍ୟ ଆହତଙ୍କୁ ୫ ହଜାର ଓ ଗୁରୁତର ମାନଙ୍କୁ ୧୦ ରୁ ୨୦ ହଜାର ସହାୟତା ରାଶି ଏବଂ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।