ଅନୁଗୁଳ – ଗତ ମାସ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ମୃତକଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଡକାୟତ ମାନେ ବନ୍ଧୁକ ଭୁଜାଲି ଦେଖାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସାଙ୍ଗକୁ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ପରଦାଫାସ କରିଛି ଅନୁଗୁଳ ପୁଲିସ । ଏକ ସ୍ୱତନ୍ତ୍ର ଟିମ ଗଠନ କରି ପୁଲିସ ତଦନ୍ତ କରିବା ସହ ଘଟଣାରେ ସମ୍ପୃକ୍ତି ୯ ଜଣ ଡକାୟତଙ୍କୁ ଗିରଫ କରା ଯାଇଛି । ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ବସଲା ଗ୍ରାମର ମିଥୁନ ବେହେରା (୩୩),ତାଳଚେର କୋଲିୟରୀ ଥାନା ଘଣ୍ଟପଡା ଗ୍ରାମର ମାନସ ସାହୁ (୩୩),ବଅଁରପାଳ ଥାନା ଟେଣ୍ଟୁଲେଇ ଗ୍ରାମର ସୁଶୀଲ ନାୟକ, ଆଠମଲ୍ଲିକ ଥାନା ଆନନ୍ତପାଲି ଗ୍ରାମର ସୁନୀଲ ବାରିକ (୨୨),କୋଲିୟରୀ ଥାନା ଘଣ୍ଟପଡା ଗ୍ରାମର ବିକାଶ ସେଠି (୨୫),ହଣ୍ଡପା ଥାନା ଇଛାପୁର ଗ୍ରାମର ଲିପୁ ବେହେରା (୨୪),ବଅଁରପାଳ ଥାନା ତଳସାହି ଗ୍ରାମର ବିଜୟ ପରିଡା (୨୯) ,ଛେଣ୍ଡିପଦା ଥାନା ଡାହିବର ଗ୍ରାମର ଅଲେଖ ଭୁତିଆ, ହଣ୍ଡପା ଥାନା ଇଚ୍ଛାପୁର ଗ୍ରାମର ପପୁ ବେହେରା (୨୦) । ସେମାନେ ଅନେକ ସମୟରେ ଏକାଠି ହୋଇ ଡକାୟତି କରିଥାନ୍ତି । ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ , ଗୁଳି , ୩ ଟି ଖଣ୍ଡା , ଟାଙ୍ଗିଆ , କଟୁରି , ଗୋଟିଏ ମୋଟରସାଇକେଲ , ଗୋଟିଏ କାର ଆଦି ଜବତ କରାଯାଇଛି । ଯାହାକି ଡକାୟତି ବେଳେ ବ୍ୟବହାର କରା ଯାଇଥିଲା । ଏହା ସହ ଚୋରି ହୋଇଥିବା ୩୦ ହଜାର ଟଙ୍କା , ୧୦ ଟି ସୁନା କାନ ଫୁଲ , ଗୋଟିଏ ମଙ୍ଗଳସୁତ୍ର , ଗୋଟିଏ ବ୍ରେସଲେଟ ମଧ୍ୟ ଜବତ କରାଯାଇଛି । ଧରା ନ ପଡିବା ପାଇଁ ଡକାୟତି ପରେ ଡକାୟତ ମାନେ ଚୋରି ଅଳଙ୍କାରକୁ ଢେଙ୍କାନାଳ ଜିଲ୍ଲା ଏକ ଘରୋଇ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ମଧ୍ୟ ଆଣିଥିଲେ । ଏଭଳି ଅଭିନବ ଉପାୟ ଡକାୟତି ମାନେ ପ୍ରଥମଥର ପାଇଁ ଆପଣାଇ ଥିବା ଅନୁଗୁଳ ଏସ ପି କହିଛନ୍ତି । ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏହି ଡକାୟତ ମାନେ ଅନେକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଏସ ପି ରାହୁଲ ଜୈନ କହିଛନ୍ତି । ଆଜି ସମସ୍ତ ଧରା ପଡିଥିବା ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ । ଆଜିର ସାମ୍ବାଦିକ ସମ୍ମିଳନୀରେ ବଶିଷ୍ଠ ଆଡେପୂ(ଆଇପି ଏସ ପ୍ରୋବେସନର ),ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କହଁର, ହଣ୍ଡପା ଥାନା ଅଧିକାରୀ ନମିତା ନାୟକ, ପ୍ରଭାତ ସେଠି (ଡିଆଇବି ଡ଼ିଏସପି ) ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
10
+1
+1