ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରା ଯାଇଥିବା ଗତକାଲି ରାତିରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ପୁଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ସୂଚନା ଅନୁସାରେ ମନୋଜ ଗତକାଲିଠାରୁ ଘରୁ ବାହାରି ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନଥିଲେ । ତାଙ୍କ ମୋବାଇଲ ସ୍ୱିଚ ଅଫ ରହିଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ସନ୍ଧାନ ନେବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ସରପଞ୍ଚ ପ୍ରାର୍ଥୀ ହେବା ଦିନ ଠାରୁ ତାଙ୍କୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଛେଣ୍ଡିପଦା ପୁଲିସ ଘଟଣାର ଛାନଭିନ କରିଥିଲା । ତାଙ୍କ ମୋବାଇଲ ଟ୍ରାକିଂ କରି ସେ ଦେବଗଡ ଜିଲ୍ଲାରେ ଥିବା ଜାଣିବାକୁ ପାଇଥିଲା । ଆଉ ସେହି ଆଧାରରେ ପୁଲିସ ତଦନ୍ତ କରି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ କୁଣ୍ଢେଇଗାଳା ଥାନା ସଙ୍ଗାପଶି ଗ୍ରାମରେ ଥିବା ମନୋଜଙ୍କ ଶଶୁର ଘର ନିକଟରୁ ମନୋଜଙ୍କୁ ଉଦ୍ଧାର କରିଥିବା ସୁଚନାମିଳିଛି । ତେବେ ପ୍ରକୃତରେ ତାଙ୍କୁ କିଏ ଅପହରଣ କରିଥିଲା ନା ସେ ନିଜେ ଏହି ଅପହରଣ ନାଟକ ରଚିଥିଲେ ତାହା ଅସ୍ପଷ୍ଟ ରହିଛି ।
What’s your Reaction?
+1
16
+1
1
+1
3
+1
4
+1
7
+1
6
+1
3