ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି । ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ । ଏଭଳି ଅଭିଯୋଗ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ନାଁରେ ଆସିଛି । ଯାହା ଫଳରେ ତିନି କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । କେବଳ ତିନି ଶିଶୁ ନୁହଁ । ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଳାସରୁ ମଧ୍ୟ ବାରଣ କରା ଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିର୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ଏଭଳି ମାନମାନି କରୁଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ୨୩ ୱାର୍ଡ ନମ୍ବର ୱାର୍ଡରେ ରହୁଥିବା ସଞ୍ଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଗୋଟିଏ ଝିଅ , ଦୁଇଟି ପୁଅ । ବଡ ଝିଅ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଦୁଇ ପୁଅ ୨ୟ ଓ ୩ୟ ଶ୍ରେଣୀରେ ପାଠ ପଢୁଥିଲେ । କରୋନା ମହାମାରୀ ସମୟରେ ସଞ୍ଜୟଙ୍କ ରୋଜଗାର ୫ ପ୍ରାଣୀ କୁଟୁମ୍ବ ଚଳାଇବାରେ କଷ୍ଟକର ହୋଇ ପଡିଥିଲା । ଏହ ପରେ ବୋଝ ଉପରେ ଲଳିତା ବିଡା ଭଳି ଦୁର୍ଘଟଣାଗ୍ରସ୍ତ ହୋଇ ସଞ୍ଜୟ ଡାକ୍ତରଖାନାରେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥିଲେ । ଏହା ଫଳରେ ସେ ଆଉ ସ୍କୁଲ ଫି ଦେଇ ପାରି ନଥିଲେ । ସେପଟେ କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ଫି ଦେବାକୁ ବାଧ୍ୟ କରିଥିଲେ । ରୋଜଗାର କମ ଥିବା ଯୋଗୁଁ ଏକା ସାଙ୍ଗରେ ଫି ନଦେଇ କିସ୍ତି କିସ୍ତି କରି ଫି ଦେବାକୁ ଅନୁରୋଧ କରିଥିଲେ ସଞ୍ଜୟ ଓ ତାଙ୍କ ସ୍ତ୍ରୀ ସଙ୍ଗୀତା । ହେଲେ ଏକା ସାଙ୍ଗରେ ଫି ଦେବାକୁ ବାଧ୍ୟ କରିବା ସହ ସ୍କୁଲ କର୍ତ୍ତୁପକ୍ଷ ତିନି ପିଲାଙ୍କ ଟିସି ଧରେଇ ଦେଲେ ବୋଲି ସଞ୍ଜୟଙ୍କ ସ୍ତ୍ରୀ ସଙ୍ଗୀତା ଅଭିଯୋଗ କରିଛନ୍ତି । ଯାହା ଫଳରେ ପ୍ରାୟ ପ୍ରାୟ ଏକ ବର୍ଷ ହେଲା ପିଲାଙ୍କ ପାଠ ପଢା ବନ୍ଦ ହୋଇ ଯାଇଛି । ଏମାନଙ୍କ ବସ୍ତାନିରେ ଡୋରୀ ବନ୍ଧା ପଡିଛି । ପାଠପଢିବାରୁ ବଞ୍ଚିତ କରିଛି ସ୍କୁଲ । କରୋନା ସମୟରେ ଅନେକ ଲୋକ ରୋଜଗାର ହାରେଇଥିଲେ । କୋଭିଡର ପ୍ରଭାବ ଯୋଗୁଁ ଏବେ ଯାଏଁ ଅଣ୍ଟା ସଲଖି ନାହିଁ ଅନେକ ଲୋକଙ୍କର । ଏଥିପାଇଁ ସ୍କୁଲ ଗୁଡିକରେ ପିଲାଙ୍କ ଫି ନେବାକୁ ବାଧ୍ୟ ନ କରିବା ସହ କେବଳ ୟୁଟିଲାଇଜେସନ ଫି ର ୧୫ ପ୍ରତିଶତ ନେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏହି ନିର୍ଦେଶକୁ ନ ମାନି ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ଆଡମିସନ ଫି ଠାରୁ ଅନ୍ୟାନ୍ୟ ଫି ଦେବାକୁ ବାଧ୍ୟ କରୁଛି । ଆଉ ଏହି ଫି ନ ଦେବା ଫଳରେ ଅନେକ ପିଲାଙ୍କ ଅନଲାଇନ କ୍ଳାସ ମଧ୍ୟ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି । ସ୍କୁଲ ଚାଲୁ ନଥିବାରୁ ସ୍କୁଲ ଯାଉ ନଥିବା ବେଳେ ଏବେ ପିଲା ଘରେ ରହି ଏକ ପ୍ରକାର ମାନନସିକ ଚାପରେ ରହୁଛନ୍ତି । କେବଳ ଯେ ପିଲା ମାନସିକ ଚାପରେ ରହୁଛି ତା ନୁହେଁ ଅଭିଭାବକ ମାନେ ମଧ୍ୟ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡି ଯାଇଛନ୍ତି । ସ୍କୁଲର ଏଭଳି ଜୁଲମ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଭାବକମାନେ ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । ସ୍କୁଲର ଏଭଳି କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଲାଙ୍କ ଭବିଷ୍ୟତ ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି । ତେବେ ଏ ନେଇ ସ୍କୁଲ ଅଧ୍ୟକ୍ଷ ନିଖିଲ ମିଶ୍ର ଏଭଳି ଅଭିଯୋଗ ଖଣ୍ଡନ କରିବା ସହ ଏହା ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରା ଯାଉଛି ବୋଲି ସେ କହିଛନ୍ତି ।
What’s your Reaction?
+1
+1
+1
+1
1
+1
4
+1
1
+1
6