ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ

ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ଅବସ୍ଥିତ ମହାନଦୀ କୋଲଫିଲଡସ କମ୍ପାନୀର ବଳରାମ କୋଇଲାଖଣି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିଜର ଖଣି ଲିଜ୍ କ୍ଷେତ୍ରର ବିସ୍ତାର (୧୩୦୯ ହେକ୍ଟରରୁ୨୫୭୪ ହେକ୍ଟର-ଅତିରିକ୍ତ୧୨୬୫ହେକ୍ଟର) ଏବଂ ନିଜର କୋଇଲା ଉତ୍ପାଦନ କ୍ଷମତା ୮ମିଲିୟନ ଟନରୁ୧୫ ମିଲିୟନ ଟନ୍ କୁ ବୃଦ୍ଧି ପାଇଁ ପରିବେଶ ମଞ୍ଜୁରୀ ସକାଶେ ଆବେଦନ କରିଥିଲେ । ସେହି ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଘଟିକାରେ ଜଗନ୍ନାଥ କଳାକେନ୍ଦ୍ର, ସାଉଥବଲଣ୍ଡା ତାଳଚେର ଠାରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜନଶୁଣାଣୀକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି । ଏହି ଅବସରରେ ସମିତିର ଆବାହକ ପଦ୍ମଚରଣ ସାମଲ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କ ଉଦ୍ଦେଶ୍ୟରେ ସଙ୍ଗଠନର ମତାମତ, ମନ୍ତବ୍ୟ ଓ ଆପତ୍ତି ଉପରେ ଏକ ଦାବିପତ୍ର ଜନଶୁଣାଣୀରେ ଅଧ୍ୟକ୍ଷତା କରୁଥିବା ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସାମଲ ଏହା ଉପରେ ମତାମତ ଦେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ତା୧୧/୭/୨୦୨୨ ରିଖ ପ୍ରଦତ ବିଜ୍ଞାପନ ଅନୁଯାୟୀ ଏମ୍‌.ସି.ଏଲ୍‌.ର ବଳରାମ ଖୋଲା ମୁହଁ କୋଇଲାଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୮ ମିଲିୟନ୍ ଟନ୍ ରୁ ୧୫ ମିଲିୟନ୍ ଟନ୍ ସଂପ୍ରସାରଣ କରିବା ସହ ଖଣି ଲିଙ୍କ କ୍ଷେତ୍ର ୧୩୦୯ ହେକ୍ଟରରୁ ୨୫୭୪ ହେକ୍ଟର (ଅତିରିକ୍ତ ୧୨୬୫ ହେକ୍ଟର କ୍ଷେତ୍ର) ବୃଦ୍ଧି କରାଗଲେ ଏହି ଅଞ୍ଚଳରେ ଥିବା ଜନବସତି, କୃଷି, ଜମି, ଜଙ୍ଗଲ, ଜଳାଶୟ ଆଦି ନଷ୍ଟ ହେବ । ଯାହା ଫଳରେ ଯେତିକି ବି ପ୍ରାକୃତିକ ପରିବେଶ ରହିଛି ତାହା ସଂପୂର୍ଣ୍ଣ ନଷ୍ଟ ହେବା ସହିତ ଏହା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଗାଇଗୋରୁ, ବନ୍ୟଜନ୍ତୁ, ସରୀସୃପ, ପକ୍ଷୀକୂଳ ସଂପୂର୍ଣ୍ଣ ଧ୍ୱଂସ ହୋଇଯିବ ଏବଂ ଜନସାଧାରଣ ବିଶୁଦ୍ଧ ପାଣି, ପବନ, ପାଇବାରୁ ବଂଚିତ ହେବେ । ତାଳଚେରରେ ଥିବା ସମସ୍ତ କୋଇଲାଖଣିରୁ କୋଇଲା ଉତ୍ତୋଳନ କରି ଟ୍ରେନ୍ ଓ ଟ୍ରକ୍ ଯୋଗେ କୋଇଲା ପରିବହନ କରାଯାଉଛି । ଯାହା ଫଳରେ ଜନବସତି, ରାସ୍ତା ଘାଟ ସର୍ବତ୍ର ବ୍ୟାପକ କୋଇଲା ଗୁଣ୍ଡ ଓ ଧୂଳିରେ ପ୍ରଦୂଷିତ ହେଉଛି । ତେଣୁ ଖଣି ସଂପ୍ରସାରଣ ଓ ଉତ୍ପାଦନ କ୍ଷମତା ବୃଦ୍ଧି କରାଗଲେ ପ୍ରଦୂଷଣ ଜନିତ ଜନସାଧାରଣ ଅତିଷ୍ଠ ହୋଇପଡିବେ । ଖଣି ପକ୍ଷରୁ ଯେତିକି ବୃକ୍ଷ ନଷ୍ଟ କରାଯାଉଛି ସେତିକି ବୃକ୍ଷରୋପଣ କରାଯାଉ ନାହିଁ । କୋଇଲା ଖନନ ପରେ କୃତ୍ରିମ ପାହାଡକୁ ସମତଳ କରାଯାଉ ନାହିଁ । ଖୋଲା ମୁହଁ କୋଇଲାଖଣି ଦ୍ୱାରା ଜଳସ୍ତର ହ୍ରାସ ପାଉଛି । ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଜନସାଧାରଣ ବହୁ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁବରଣ କରୁଛନ୍ତି । ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ତାଳଚେର ଠାରେ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସ ଏଣ୍ଡ ରିସର୍ଚ୍ଚ କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ପାଇଁ ବର୍ଷ ବର୍ଷ ଧରି ବିଳମ୍ବ କରାଯାଇଆସୁଛି । ତାଳଚେର ଉପଖଣ୍ଡର ଜନସାଧାରଣଙ୍କ ପ୍ରତି ଏମସିଏଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅବହେଳା କରି ଆସୁଛନ୍ତି । ଏହାକୁ ଗୁରୁତର ବିଚାର କରି ଖଣି ସଂପ୍ରସାରଣ ବନ୍ଦ କରିବା ପାଇଁ ଶ୍ରୀ ସାମଲ ଦାବି କରିଛନ୍ତି । ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୁଳର ଆଞ୍ଚଳିକ ଅଧିକାରୀ ଡଃ ଅନୁପ କୁମାର ମଲ୍ଲିକ ଏହାର ସଭାପତିତ୍ୱ କରିଥିଲେ । ଏହି ଜଣଶୁଣାଣି କାର୍ଯ୍ୟକ୍ରମରେ ନକେଇପସି, ବ୍ରାହ୍ମଣବାହାଲ, କୋଚିଆନାଳି, ଦାମୋଲ, ପ୍ରଶ୍ନନଗର, ନାଥଗାଁ, ମଝିକା, କଳମଛୁଇଁ, ଡଅଁରା, ନତଡା ବନବାସପୁର, ତେଲିପୁର, ସୋଲଡା ସତ୍ୟବାଦୀପୁର, ଗୋପାଲପ୍ରସା. ଖମାର, ଖୁରିଙ୍ଗା ଏବଂ ବୀରବରପୁର ଆଦି ଗ୍ରାମର ପ୍ରାୟ ୪ଶହ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଏହା ସହିତ କଳମଛୁଇଁ, ଡଅଁରା, ନତଡା, ଗୋପାଳପ୍ରସାଦ ଗ୍ରାମ ପଂଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ଜୋନ ୧୮ ଏବଂ ଉପରୋକ୍ତ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply