ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ଆମ୍ଭ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ୧୯୮୨ ମସିହାରୁ ସ୍ଥାପିତ ହୋଇଥିଲା । ୫ହଜାର ଜନସଂଖ୍ୟା ବିଶିଷ୍ଟ ବଡକଞ୍ଜନୀ , ସାନକଞ୍ଜନୀ , ନୂଆପଡା , ସଟରାଙ୍ଗ , ସାରଙ୍ଗପୁର ପ୍ରଭୃତି ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଜନସାଧାରଣଙ୍କ ସହଯୋଗରେ ଏହି ବିଦ୍ୟାଳୟଟି ଗଢ଼ି ଉଠିଥିଲା । ପରବର୍ତୀ ସମୟରେ ( ୬୧୦ କାଟାଗୋରୀ ସ୍କୁଲ ) ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଭାବେ ଚାଲି ଆସୁଥିଲା । ବର୍ତମାନ ୬ଷ୍ଠ ଓ ୭ମ ଶ୍ରେଣୀରେ ୬୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ୨୦୨୨ ଏପ୍ରିଲ ମାସ ଠାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅବସର ଗ୍ରହଣ କରିଛନ୍ତି । ଫଳରେ ଆଜକୁ ପ୍ରାୟ ୬ ମାସ ହେବ ସ୍କୁଲରେ କୌଣସି ଶିକ୍ଷକ ନଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ , ପାଠ୍ୟପୁସ୍ତକ , ଏବଂ ସ୍କୁଲ ପୋଷାକ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ବିଦ୍ୟାଳୟ ଠାରୁ ଅନ୍ୟାନ୍ୟ ନିକଟବର୍ତ୍ତୀ ସ୍କୁଲର ଦୂରତା ପ୍ରାୟ ୫ ରୁ ୭ କିଲୋମିଟର ହେଇଥିବାରୁ ପିଲାମାନେ ଅନ୍ୟ ସ୍କୁଲକୁ ପାଠ ପଢ଼ିବା ପାଇଁ ଯିବାକୁ ଅନେକ ଅସୁବିଧା ହେବା ସହିତ ଛାତ୍ରଛାତ୍ରୀମାନେ ପାଠ ପଢ଼ା ଛାଡିବାକୁ ବାଧ୍ୟହେଉଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅବଗତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ , କୌଣସି ପଦକ୍ଷେପ ନେଇନାହାଁନ୍ତି । ୧୪ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ଅଧିକାର ଆଇନ୍ ୨୦୦୯ କାର୍ଯ୍ୟକାରୀ ହେଉଛି । ମାତ୍ର ବାରମ୍ବାର ଦାବି ସତ୍ତ୍ଵେ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନକରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପାଇବାରୁ ବଞ୍ଚିତ କରା ଯାଉଛି । ଏଥିପାଇଁ ଆଜି ସ୍କୁଲର ଛାତ୍ରଛାତ୍ରୀ , ଅଭିଭାବକ ଆଦି ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଶତାଧିକ ଛାତ୍ରଛାତ୍ରୀ , ଅଭିଭାବକ ହାତରେ ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ଅନୁଗୁଳ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଆନ୍ଦୋଳନ କରିବା ପରେ ଏକ ପ୍ରତିନିଧି ଦଳ ଯାଇ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଉପ-ଜିଲ୍ଲାପାଳ କହିଥିବା ଜଣା ପଡିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply