ତାଳଚେର – ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଅନୁଗୁଳ ଜିଲ୍ଲାର ଅଗ୍ରଣୀ ମହିଳା ଅନୁଷ୍ଠାନ ସମ୍ପୁର୍ଣ୍ଣା ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ରିଅଲ ହିରୋ ଆୱାର୍ଡ଼-୨୦୨୧’ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୯ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୬୪ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ୩୯ ଜଣଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଟିଟିପିଏସ ହସପିଟାଲ ସିଏମଓ ଡା. ସସ୍ମିତା ଦାସ , ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା ସୁସ୍ମିତା ସାହୁ , ପ୍ରଗତି ମହିଳା ମଣ୍ଡଳ ସଭାନେତ୍ରୀ ଡଲି ମିଶ୍ର , ଶ୍ରମିକ ନେତା ଶଙ୍କର ବେହେରା , ସମାଜସେବୀ ବିଭୁତି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥିଗଣ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣା ପରିବାର ପକ୍ଷରୁ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା l ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ଓ ତାଳଚେର ଏବଂ ଅନୁଗୁଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଡ଼ିଆ ହିରୋ ଭାବେ ସମ୍ବର୍ଦ୍ଧିତ କରାଯାଇ ଥିଲା । ପୁଲିସ କର୍ମଚାରୀ ଅର୍ଚ୍ଚନା ନାୟକଙ୍କୁ ମେରିଟିଅସ ଲେଡି ଆୱାର୍ଡ, ପ୍ରଗତି ମହିଳା ମଣ୍ଡଳ ସଭାନେତ୍ରୀ ଡଲି ମିଶ୍ରଙ୍କୁ ଆଇକନ ଲେଡି ଆୱାର୍ଡ , କ୍ରୀଡ଼ା କ୍ଷେତ୍ରରେ ମମିତା ରାଉତଙ୍କୁ ସ୍ପୋର୍ଟସ ମ୍ୟାନ୍ ଅଫ ଦଅ ଇଅର୍ ଓ ସାମାଜିକ କ୍ଷେତ୍ରରେ ସେବା ପାଇଁ ଡା. ସୁସ୍ମିତା ସାହୁଙ୍କୁ ୱମେନ ଅଫ ଦି ଇୟର ଭାବେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଉତ୍ସବରେ ନିଜ ବକ୍ତବ୍ୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଥିଲେ ଯେ , ସଂପ୍ରତି ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ଏହାସତ୍ୱେ ସମାଜରେ ସମ୍ମାନର ସହ ବଞ୍ଚିବାକୁ ସେ ତାର ସଂଘର୍ଷ ଜାରି ରଖିଛି । ଆଜି ମଧ୍ୟ ଆମ ସମାଜରେ ଅନେକ ମହିଳା ଅଶିକ୍ଷା, ବାଲ୍ୟ ବିବାହ, ଯୌତୁକ ପ୍ରଥା, ଯୌନ ଉତ୍ପୀଡନା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହିଳାମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜାନାମାନ ରହିଛି । ଅନ୍ୟ ପକ୍ଷରେ କବିତା ରଣାଙ୍କ କହିଥିଲେ ଯେ, ମହିଳାଙ୍କୁ ସମାଜରେ ଅନ୍ୟାୟକୁ ବରଦାସ୍ତ କରିବା ଉଚିତ୍ ନୁହେଁ ବରଂ ପ୍ରତିବାଦ କରିବା ଉଚିତ୍ । ମହିଳାମାନେ ପରସ୍ପରକୁ ସମ୍ମାନ କରିବା ଉଚିତ୍ ବୋଲି ସେ କହିଥିଲେ । ଶେଷରେ ବିଭିନ୍ନ ପ୍ରକାରର ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦିକା କବିତା ରଣାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଝରଣା ସାହୁ, ଅମିତା ସାହୁ, ଶେଫାଳୀ ନାୟକ, ପପିୟା ମହଦାନି ମଞ୍ଚ ପରିଚାଳନା କରି ଥିଲେ ଏବଂ ସମସ୍ତ ସଦସ୍ୟା ଏଥିରେ ସହଯୋଗ କରିଥିଲେ । ଏହି ଆଓ୍ଵାର୍ଡ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବ ବୋଲି ସମ୍ପୁର୍ଣ୍ଣା ପରିବାର ପକ୍ଷରୁ ଏହି ଅବସରରେ ସୂଚନା ଦେଇଥିଲେ ।
What’s your Reaction?
+1
+1
+1
+1
+1
+1
+1