ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଦଳ ଛାଡ଼ିଥିବା ସୂଚନା ଦେଇଛନ୍ତି । ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ସଞ୍ଜୀବ ବିଧାୟକ ହୋଇଥିଲେ । ଏପରିକି ବିଜେଡ଼ିର ପୂର୍ବତନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଅତି ଘନିଷ୍ଠ ଭାବେ ଗଣାଯାଉଥିଲେ । ୨୦୦୯ ମସିହାରେ ସେ ୧୮ହଜାର ୯୮୧ଖଣ୍ଡ ଭୋଟ୍‌ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ହଜାର ୫୩୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍‌ ଦେଇଥିଲା । ଏହା ପରଠୁ ସଞ୍ଜୀବ ଅସନ୍ତୁଷ୍ଟ ଥିଲେ ।

ରାଜନୈତିକ ଜୀବନ:-
ଶିକ୍ଷକତା ଛାଡ଼ି ରାଜନୀତିରେ ଜୀବନ ଆରମ୍ଭ କରିଥିଲେ ସଞ୍ଜୀବ । ଆରମ୍ଭରୁ ଜନତା ଦଳରେ ହିଁ ରହିଥିଲେ । ୧୯୮୮ ମସିହାରେ ସେ ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ଜନତା ଦଳ ସଭାପତି ଥିଲେ । ୧୯୯୦ ମସିହାରେ ଅବିଭକ୍ତ ଢ଼େଙ୍କାନାଳ ଜିଲାର ଜନତା ଦଳ ଉପସଭାପତି ପଦବୀରେ ରହିଥିଲେ । ୧୯୮୪-୮୫ ମସିହାରେ ଅଙ୍ଗପଡ଼ା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେହି ଥର ହିଁ କିଶୋରନଗର ବ୍ଲକର ଉପାଧ୍ୟକ ପଦବୀ ହାତେଇଥିଲେ । ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ)ରେ ରହିଥିଲେ । ୨୦୦୮ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଯୋଗାଯୋଗ ଏବଂ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ତେବେ ୨୦୧୨ ମିଡନାଇଟ୍‌ ଅପରେସନରେ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜେଡ଼ିରୁ ତଡ଼ାଯିବା ପରେ ଶକ୍ତିହୀନ ହୋଇପଡ଼ିଥିଲେ ସଞ୍ଜୀବ । ତଥାପି ଦଳ ତାଙ୍କୁ ୨୦୧୪ ମସିହା​‌ରେ ଆଠମଲ୍ଲିକରୁ ଟିକେଟ୍‌ ଦେଇଥିଲା । ବିଧାୟକ ଥିବା ସମୟରେ ୧୨ଟି ବିଭିନ୍ନ ବିଧାନସଭା କମିଟିର ସଦସ୍ୟ ମଧ୍ୟ ରହିଥିଲେ ।

What’s your Reaction?
+1
1
+1
2
+1
1
+1
0
+1
25
+1
4
+1
3

Leave a Reply