ଅନୁଗୁଳ ଜିଲ୍ଲାରେ ବସିବ ପଣସ ପ୍ରକ୍ରିୟାକରଣ ସ୍ବତନ୍ତ୍ର  ୟୁନିଟ

ଅନୁଗୁଳ ଜିଲ୍ଲାରେ ବସିବ ପଣସ ପ୍ରକ୍ରିୟାକରଣ ସ୍ବତନ୍ତ୍ର ୟୁନିଟ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପଣସର ମୂଲ୍ୟଯୁକ୍ତ କରାଯାଇ ଚାଷୀଙ୍କୁ ଫାଇଦା ଦେବା ପାଇଁ ଆରମ୍ଭ ହେବ ପଣସ ମିସନ । ପଣସ ଚାଷକୁ ପ୍ରୋତ୍ସାହନ ଦିଆଯିବା ସହ ଏଥିରୁ ଚାଷୀ ଯେମିତି ଅଧିକ ଲାଭ ପାଇବେ ସେଥିପାଇଁ ପଣସକୁ ପ୍ରକ୍ରିୟାକରଣ ପାଇଁ ସ୍ବତନ୍ତ୍ର ୟୁନିଟ୍ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଅନୁଗୁଳ , ପାଳଲହଡ଼ା , ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଏହି ପଣସ ମିସନ କାର୍ଯ୍ୟକାରୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବ୍ଲକକୁ ଏଥିରେ ସାମିଲ କରିବାକୁ ଯୋଜନା କରିଛି ଉଦ୍ୟାନ କୃଷି ବିଭାଗ ଏଥିନେଇ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅନୁମୋଦନ ଲାଭ ପରେ କାମ ଆରମ୍ଭ ହୋଇଯାଇଛି । ଅନୁଗୁଳ ଜିଲ୍ଲାରେ ଭଲ ପଣସ ହୁଏ ଖରାଦିନେ ଏହା ପାଚିବା ପରେ ଚାଷୀ ଏହା ବିକ୍ରି କରିଥାନ୍ତି । ତେବେ ଏକା ସମୟରେ ପଣସ ପାଚି ଯାଉଥିବାରୁ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳେନି ଆଉ ପଣସର ସଂରକ୍ଷଣ ପାଇଁ ସୁବିଧା ଥିବାରୁ ଏହା ନଷ୍ଟ ହୋଇଥାଏ । ତେଣୁ ପଣସକୁ ଏକ ଲାଭକାରୀ ଚାଷ ଭାବେ ବିବେଚନା କରାଯାଏ ନାହିଁ । ପଣସ ଚାଷ ପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାନ୍ତି ନାହିଁ । କିନ୍ତୁ ଏହି ଧାରାରେ ପରିବର୍ତ୍ତନ କରିବା ପାଇଁ ଅନୁଗୁଳରେ ପଣସ ମିସନ ଆରମ୍ଭ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏହା ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ ପାଇଁ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳ , ପାଳଲହଡ଼ା , କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ପ୍ରକ୍ରିୟାକରଣ ୟୁନିଟ୍ ବସିବ । ଏଠାରେ ୨୦ ହେକ୍ଟର ଜମିରେ ପଣସ ଚାଷ କରାଯିବ ଏହାସହିତ ପଣସ ଚାଷ ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ସବସିଡି ଯୋଗାଇ ଦିଆଯିବ ପଣସ ହେଲା ପରେ ଏହାକୁ ପ୍ରକ୍ରିୟାକରଣ କରାଯାଇ ଏହାକୁ ମୂଲ୍ୟଯୁକ୍ତ କରିବାକୁ ଯୋଜନା କରାଯାଇଛି । ପଣସରୁ ଚିପ୍ସ , ଜୁସ୍ ଆଦି ପ୍ରସ୍ତୁତ କରାଯିବ । ସେହିପରି ପଣସ ମଞ୍ଜିରୁ ଅଟା ପ୍ରସ୍ତୁତ ହେବ । ଏଥିରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯିବ ଫଳରେ ଚାଷୀମାନେ ଲାଭବାନ ହେବେ ବର୍ଷକୁ ଥରେ ଏହି ଚାଷ କରି ମଧ୍ୟ ଚାଷୀମାନେ ଲାଭବାନ ହୋଇପାରିବେ । ଏଥିନେଇ ଅନୁଗୁଳ ଉଦ୍ୟାନ କୃଷି ଉପ ନିର୍ଦେଶକ ସଚ୍ଚିଦାନନ୍ଦ ଭୋଳ କହିଛନ୍ତି ଯେ , ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ଲକରେ ଏହା ଆରମ୍ଭ କରାଯାଇ ଚାଷୀଙ୍କୁ ପଣସ ଚାଷରୁ ଲାଭ ପାଇବା ଉପରେ ଗୁରୁତ୍ଵ ଦିଆଯିବ । ଏଥିପାଇଁ ପ୍ରକ୍ରିୟାକରଣ ୟୁନିଟ୍ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଅନୁଗୁଳ ମାଟିରେ ଭଲ ପଣସ ହେଉଥିବାରୁ ଏହା ଚାଷୀଙ୍କୁ ବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

What’s your Reaction?
+1
0
+1
0
+1
0
+1
1
+1
6
+1
0
+1
0

Leave a Reply