ଅପନ୍ତରା ଅଞ୍ଚଳରେ ପଡିଲା ପ୍ରଶାସନର ପାଦ – ନିର୍ମାଣ ହେଲା ରାସ୍ତା

ଅପନ୍ତରା ଅଞ୍ଚଳରେ ପଡିଲା ପ୍ରଶାସନର ପାଦ – ନିର୍ମାଣ ହେଲା ରାସ୍ତା

ଅନୁଗୁଳ – ଅପନ୍ତରା ଅଞ୍ଚଳ ହୋଇଥିବାରୁ ଯେଉଁ ଗାଁକୁ ରାସ୍ତାଟିଏ ନଥିଲା ପ୍ରଶାସନର ପାଦ ପଡ଼ିବା ପରେ ତାହାକୁ ନିର୍ମାଣ କରାଯାଇଛି । ଫଳରେ ଯେଉଁ ଗାଁକୁ ଚାଲି ଚାଲି ଯିବା ମୁସ୍କିଲ ଥିଲା ଏବେ ଏହି ରାସ୍ତାରେ ଚାରିଚକିଆ ଯାନ ଯିବା ବି ସମ୍ଭବପର ହୋଇଛି । ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଏହି ଗାଁ କିଡ୍‌ନି ରୋଗ ପାଇଁ ଚର୍ଚ୍ଚାରେ ଥିଲା । ଗତ ବର୍ଷକ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଯାଇ ପ୍ରଶାସନର ନିଦ ଭାଙ୍ଗିବା ସହିତ ଗାଁକୁ ପାଦ ପଡ଼ିଥିଲା । ଏହି ଗାଁ ହେଉଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ୍ ଠାକୁରଗଡ଼ ପଞ୍ଚାୟତର ଅମାସମା । ଗାଁରେ ପ୍ରାୟ ୩୫ଟି ପରିବାର ବାସ କରିନ୍ତି । ପାଖାପାଖି ଦେଢ଼ ଶହ ଲୋକ ରହୁଥିଲାବେଳେ ସମସ୍ତେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କିଡ୍‌ନି ରୋଗରେ ଗାଁର ବହୁ ଲୋକ ଆକ୍ରାନ୍ତ ହୋଇଥିଲା । ଏଥିପାଇଁ ଗତ ଏକ ବର୍ଷ ଭିତରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବର – ଅକ୍ଟୋବରରେ ଏହି ଗାଁରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଚର୍ଚ୍ଚା ହେବାପରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା । କିନ୍ତୁ , ଗାଁକୁ ଯିବା ପାଇଁ ରାସ୍ତା ପାଇ ନ ଥିଲେ । ଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଖରେ ଅଟକି ରହିଥିଲେ । ପରେ କେତେଜଣ ଯୁବ ସ୍ଵେଚ୍ଛାସେବୀଙ୍କ ସହାୟତାରେ ସେ ବାଇକ୍‌ରେ ଗାଁକୁ ଯାଇଥିଲେ । ଗାଁରେ ଲୋକଙ୍କ ଅସୁବିଧା ବୁଝିବା ପରେ ଫେରିଥିଲେ । ପରେ ଗାଁକୁ ରାସ୍ତା ନ ହେବାର କାରଣ ଖୋଜାଯାଇଥିଲା । ଉପଜିଲ୍ଲାପାଳ ଶ୍ରୀସୁନା ଏଥିନେଇ ଅନ୍ୟ ଅଧିକାରୀ , ବ୍ଲକ୍ ପ୍ରଶାସନ ଓ ସରପଞ୍ଚ ଚାରୁଲତା ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ରାସ୍ତାକୁ ନେଇ ଯେଉଁ ବିବାଦ ରହିଥିଲା , ଯୁଦ୍ଧକାଳୀନ ଭିତ୍ତିରେ ତାକୁ ତୁଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏହାପରେ ଗାଁକୁ ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏବେ ଗାଁକୁ ରାସ୍ତା ନିର୍ମାଣ କରାଯାଇଛି ।
ଫଳରେ ଗାଁକୁ ୪ ଚକିଆ ଗାଡ଼ି ଯିବା ସମ୍ଭବ ହୋଇଛି । ଉପ-ଜିଲ୍ଲାପାଳ ଓ ତହସିଲଦାର ଏହି ଗାଁକୁ ଯାଇ ରାସ୍ତା ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ତରଣୀ ସୁନା କହିଛନ୍ତି , ଗାଁକୁ ଥିବା ରାସ୍ତାରେ କିଛି ଘରୋଇ ଜମି ଥିବାରୁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ପାରୁ ନ ଥିଲା । ଆଲୋଚନା କରାଯାଇ ଏହାର ସମାଧାନ କରାଯାଇଛି । ଏବେ ପଞ୍ଚାୟତ ତରଫରୁ ମାଟି ରାସ୍ତା ନିର୍ମାଣ କରାଯାଇଥିଲା ବେଳେ ଧାନ କଟା ସରିବା ପରେ ଦୁଇଟି ଛୋଟ ପୋଲ ନିର୍ମାଣ କରାଯିବ । ବାସୁଦେବପୁରକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ପକ୍କା ସଡ଼କ କରିବା ନେଇ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି ।

What’s your Reaction?
+1
1
+1
0
+1
0
+1
0
+1
3
+1
1
+1
0

Leave a Reply