ଅନୁଗୁଳ – ୧୯୩୪ ମସିହା ମଇ ୬ ତାରିଖରେ ମହାତ୍ମା ଗାନ୍ଧୀ ବିହାରର ରାଜଧାନୀ ପାଟଣା ଠାରୁ ବାହାରି ଝାରସୁଗୁଡା, ସମ୍ବଲପୁର, ବାମୁର ହୋଇ ଅନୁଗୁଳ ଠାରେ ପହଞ୍ଚିଥିଲେ । ସେତେବେଳର ଜିଲ୍ଲା ପ୍ରଶାସନ ମହାତ୍ମାଙ୍କ ଏହି ଗସ୍ତକୁ ବିଫଳ କରିବା ପାଇଁ ଶତଚେଷ୍ଟା କରିଥିଲେ ବି ସେ ଏଠାରେ ଆସି ପହଞ୍ଚିଥିଲେ । ଅନୁଗୁଳ ଠାରେ ତିନି ଥରରେ ୩୨୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗାନ୍ଧୀଜୀ ଉଦବୋଧନ ଦେଇଥିଲେ । ଏହି ସଭାରେ ୪୦୦ ଟଙ୍କା ଆଦାୟ ହୋଇଥିଲା ଓ ତାଙ୍କୁ ଖାଇବାକୁ ମିଳିଥିବା ପାଚିଲା ଆମ୍ବଟିକୁ ନିଲାମ କରି ସେ ୫ ଟଙ୍କା ସଂଗ୍ରହ କରିଥିଲେ । ଗାନ୍ଧୀଜୀଙ୍କ ଅନୁଗୁଳ ଆଗମନର ୮୮ ତମ ସ୍ମାରକୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଅନୁଗୁଳ ବସଷ୍ଟାଣ୍ଡ ଠାରୁ ଏକ ଶାନ୍ତି, ସଂହତି ପଦଯାତ୍ରା ବାହାରି ଶିମିଳିପଡା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପହଁଞ୍ଚିଥିଲା । ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଦୀର୍ଘ ବର୍ଷ ଧରି ଦାବି ହେଉଥିଲେ ମଧ୍ୟ ଅଦ୍ୟାବଧି ଅନୁଗୁଳ ଠାରେ ଗାନ୍ଧୀ ଭବନ ନିର୍ମାଣ ହୋଇପାରିନଥିବା ତଥା ଗତ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀବାଦୀ ମାନଙ୍କ ପକ୍ଷରୁ ସତ୍ୟାଗ୍ରହ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପାଇଁ ଜମି ଚିହ୍ନଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଅଦ୍ୟାବଧି ତାହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି ବୋଲି ସଭାରେ ଉପସ୍ଥିତ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଅନୁଗୁଳ ଶାଖାର ସଭାପତି ଶରତ ଚନ୍ଦ୍ର ସାହୁ, ଇଂ ଧନେଶ୍ୱର ସାହୁ, ଡଃ ବିଶ୍ଵଜିତ, ପ୍ରଫେସର କୂଳମଣି ନାୟକ, ଡ଼. ରମାମଞ୍ଜରୀ ଗଡ଼ନାୟକ, ପ୍ରଫେସର ଶାନ୍ତନୁ ସର, ପ୍ରଫେସର କୁମୁଦ ଚନ୍ଦ୍ର ଦାସ, ଡ଼. ଧରଣୀଧର ନାଥ, କୈଳାସ ଚନ୍ଦ୍ର ସାହୁ, ଗୋପାଳ ନାଥ, ସରସ୍ୱତୀ ସ୍ୱାଇଁ, ଅନ୍ତର୍ଯ୍ୟାମୀ ବରାଳ, ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ଶଙ୍କର ବେହେରା, ପର୍ଶୁରାମ ଦାସ, ସୁଶାନ୍ତ ତ୍ରିପାଠୀ, ଲମ୍ବୋ କୁମାର ପ୍ରଧାନ, ଆଦ୍ୟଶ୍ଳୋକ ମିଶ୍ର, ଅରୁଣ କୁମାର ସାହୁ, ପ୍ରଦ୍ୟୁମ୍ନ କୁମାର ନାୟକ, ପ୍ରତିମା ନାୟକ, ଲିପିକା ମହାପାତ୍ର, ମାନସ ପଟ୍ଟନାୟକ, ପ୍ରମୋଦ କୁମାର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
What’s your Reaction?
+1
+1
+1
+1
+1
1
+1
+1