ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ କୋଶଳା ଗାଁର ପ୍ରଦ୍ୟୁମ୍ନ କୁମାର ରାଉଳ ହୋଇଥିବା ବେଳେ ସେ ଗତ ଦୁଇଦିନ ହେଲା ନିଖୋଜ ଥିଲେ ।
ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ପ୍ରଦ୍ୟୁମ୍ନ ଘରୁ ବାହାରି ଆସିବା ପରେ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ପ୍ରଦ୍ୟୁମ୍ନଙ୍କ କୌଣସି ଖବର ନ ମିଳିବା ପରେ ପରିବାର ପକ୍ଷରୁ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଗାଁ ନିକଟସ୍ଥ ଜଙ୍ଗଲର ତାରିଣୀ ମନ୍ଦିର ନିକଟରେ ତାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇ ପାରିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି ।