୫୫ ନମ୍ବର ଜାତୀୟ ରାଜପଥ ୪ ଥର ବଦଳିଲାଣି ଡେଡ୍‌ଲାଇନ୍‌ – ମନ୍ତ୍ରୀଙ୍କ ପ୍ରତିଶୃତି ତଦବସ୍ଥା

୫୫ ନମ୍ବର ଜାତୀୟ ରାଜପଥ ୪ ଥର ବଦଳିଲାଣି ଡେଡ୍‌ଲାଇନ୍‌ – ମନ୍ତ୍ରୀଙ୍କ ପ୍ରତିଶୃତି ତଦବସ୍ଥା

ଅନୁଗୁଳ – ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସରିବାର ନା ନେଉନି । ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସାରିବାକୁ ଏହା ଭିତରେ ୪ ଥର ଡେଡ୍‌ଲାଇନ୍‌ ବଦଳିଥିଲେ ମଧ୍ୟ କାମ ସୁ ନାହିଁ । ଏହାକୁ ସଂପୂର୍ଣ୍ଣ କରିବାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ବିଫଳ ହୋଇଛନ୍ତି । ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ଯୋଡ଼ୁଥିବା ଏହି ରାଜପଥରେ ଯାତାୟାତ ଯନ୍ତ୍ରଣା ନିକଟରେ ସରିବାର ଆଶା ଦିଶୁ ନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ରାଜପଥ ଏବେ ମରଣଯନ୍ତା ପାଲଟିଛି । ୨୦୧୬ ମସିହାରେ ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରସସ୍ତିକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନ୍ଏଚ୍ଏଆଇ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳରୁ କଟକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡାକିଥିବା ବେଳେ ଉଭୟ ଠିକା କାମ ଗାୟତ୍ରୀ ପ୍ରୋଜେକ୍ଟସ୍‌କୁ ମିଳିଥିଲା । ସମ୍ବଲପୁର-ଅନୁଗୁଳ ୧୫୧ କିଲୋମିଟର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଠିକା ନେଇ ଗାୟତ୍ରୀ ପ୍ରୋଜେକ୍ଟସ୍ କାର୍ଯ୍ୟାଦେଶର ୬ ବର୍ଷ ପରେ ବି କାମ ସଂପୂର୍ଣ୍ଣ କରିପାରିନଥିଲା । ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଅବଧି ସରିବା ପରେ ୩ ଥର ସଂପ୍ରସାରଣ କରାଯାଇଥିଲେହେଁ କାମ ସାରିପାରିନଥିଲା । ସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୯ ମାସ ରାସ୍ତା ନିର୍ମାଣ କାମ ବନ୍ଦ ପଡ଼ିଥିଲା । ଜନ ଅସନ୍ତୋଷ ପରେ ଗତ ୨୫ ଏପ୍ରିଲ ୨୦୨୨ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଗାୟତ୍ରୀ ପ୍ରୋଜେକ୍ଟସ୍କୁ ୧୫ ଦିନ ମଧ୍ୟରେ କାମ ଆରମ୍ଭକୁ ନୋଟିସ୍ ଦେଇଥିଲା । ପରିଶେଷରେ ଅପାରଗ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହି ପ୍ରକଳ୍ପରୁ ବିଦା ହୋଇଥିଲା । ସରକାରୀ ପ୍ରକ୍ରିୟା ପରେ ଜୁଲାଇ ୨୦୨୨ରୁ ବିଧିବଦ୍ଧ ଭାବେ ନିର୍ମାଣ ଦାୟିତ୍ବ ନେଇଥିବା ଅଗ୍ରୱାଲ ଇନ୍‌ଫ୍ରାକୋର୍ ସଂସ୍ଥା ଇତିମଧ୍ୟରେ ଏକ ବର୍ଷ ପୂରା କରିଛି । ତଥାପି, ନିର୍ମାଣ କାମରେ ଆଶାନୁରୂପ ଅଗ୍ରଗତି ପରିଲକ୍ଷିତ ନାହିଁ । ଅବଶ୍ୟ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଅବଧି ରହିଛି । ରାଜପଥ ହାତୀ କରିଡ଼ର ମଧ୍ୟ ଦେଇ ଅତିକ୍ରମ କରୁଛି । ରାତ୍ରି ସମୟରେ ରାଜପଥ ପାର ହୋଇ ହାତୀମାନଙ୍କ ଯାତାୟାତ ଲାଗି ରହିଥାଏ । ଏଥିପାଇଁ ୧୨ଟି ହାତୀ ଚଲାପଥ(ଅଣ୍ଡର ପାସ୍) ନିର୍ମାଣ ଆବଶ୍ୟକ ଥିବା ବେ‌ଳେ ଏବେ ଟେଣ୍ଡର ଆହ୍ବାନ କରାଯାଇଛି । ଏହାର ନିର୍ମାଣରେ ବିଳମ୍ବ ହୋଇଛି । ସଂସଦରେ ମନ୍ତ୍ରୀ କହୁଛନ୍ତି ଆସନ୍ତା ମାର୍ଚ୍ଚ ସୁଦ୍ଧା ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଶେଷ ହେବ । ଏପ‌ଟେ ଦଳୀୟ ନେତାଙ୍କୁ ଏହି ଡିସେମ୍ବର ସୁଦ୍ଧା କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଲୋକଙ୍କ ଦ୍ୱନ୍ଦ ବଢ଼ାଉଥିଲାବେଳେ ରାସ୍ତା ଅବସ୍ଥା ଦେଖିଲେ ଏତେ ଶୀଘ୍ର କାମ ସରିବା ପରି ଲାଗୁନି । ଅନୁଗୁଳ-ସମ୍ବଲପୁର ରାସ୍ତା କାମ ୨୦୧୭ରେ ଆରମ୍ଭ ହୋଇଥିଲାବେଳେ ଅନୁଗୁଳ-କଟକ ରାସ୍ତା ୨୦୧୮ ଆରମ୍ଭରୁ ହୋଇଥିଲା । ଏହି କାମ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏ ଭିତରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଦୁଇଗୁଣ ବଢ଼ିଥିଲାବେଳେ କାମ କିନ୍ତୁ ଅଧପନ୍ତରିଆ ଭାବେ ପଡ଼ି ରହିଛି । ଢେଙ୍କାନାଳରୁ ଅନୁଗୁଳ ପର୍ଯ୍ୟନ୍ତ ୬୨ କିମି ରାସ୍ତା ପ୍ରଶସ୍ତୀକରଣ କାମ ପ୍ରାୟ ୭୦ ପ୍ରତିଶତ ସରିଥିଲାବେଳେ ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ୮୦ ପ୍ରତିଶତ ସରିଥିବା ସରକାର କହୁଛନ୍ତି । କିନ୍ତୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଏହି ରାସ୍ତାରେ ହେବାକୁ ଥିବା ଫ୍ଲାଏ ଓଭର ଗୁଡ଼ିକ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇନି । ଏପଟେ ଅନୁଗୁଳ ସହର ପାଇଁ ନିର୍ମାଣ କରାଯାଉଥିବା ବାଇପାସ୍‌ ଅଧପନ୍ତରିଆ ଭାବେ ପଡ଼ିଛି । କେବଳ ଏହି ବାଇପାସ୍‌ରେ ୫ଟି ଓଭର୍‌ବ୍ରିଜ୍‌ ରହିଥିଲାବେଳେ ଦୁଇଟି ବଡ଼ ପୋଲ ନିର୍ମାଣ କରାଯାଉଛି । ଏହା ବାଦ୍‌ କଲଭର୍ଟ ଓ ଅଣ୍ଡରପାସ୍‌ ରହିଛି। ଗତ ବିଧାନସଭା ସମୟ‌ରେ ରାଜ୍ୟ ସରକାର କହିଥିଲେ ଯେ, ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏପରିକି କଟକ-ଢେଙ୍କାନାଳ ରାସ୍ତା ଜୁନ୍‌ ସୁଦ୍ଧା ସରିବ ବୋଲି ବିଧାନସଭାରେ ମନ୍ତ୍ରୀ କହିଥିଲେ । ଗତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କିନ୍ତୁ ପ୍ରଶସ୍ତୀକରଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏହି ଡେଡ୍‌ଲାଇନ୍‌ ଭିତରେ କାମ ସରିବା ନେଇ ସନ୍ଦେହ ବଢ଼ିଛି । ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ ପ୍ରକଳ୍ପ ଆରମ୍ଭରୁ ଅବ୍ୟବସ୍ଥା ଭିତରେ ଗତି କରୁଥିଲାବେଳେ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଓ ଠିକଦାରଙ୍କ ଅବହେଳା ପାଇଁ କାମ ବିଳମ୍ବିତ ହୋଇଥିଲା । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହି ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅନେକ ଦୁର୍ଘଟଣାର କାରଣ ହୋଇଛି । ଅକାଳରେ ଶହ ଶହ ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଏହାକୁ ସରକାର ଗୁରୁତର ସହ ନେଉ ନଥିବାରୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ।

What’s your Reaction?
+1
1
+1
1
+1
0
+1
0
+1
0
+1
0
+1
0

Leave a Reply