ଅନୁଗୁଳ – ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇ ଯାଇଛି । ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଏହାକୁ ନେଇ ଅନୁଗୁଳରେ ମାହୋଲ ଗରମ ରହିଥିଲା । ଡାକ୍ତରଙ୍କ ମୃତ୍ୟୁ ପରେ ତାଳଚେର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଖବର ପାଇ ଶତାଧିକ ଲୋକ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଥିଲେ । ପରେ ଡାକ୍ତରଙ୍କୁ ମିଛ କେଶରେ ଫସାଇ ଦିଆ ଯାଇଥିବା ଆଉ ପୁଲିସ ବିନା ତଦନ୍ତରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ କରିବା ସହ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଅନୁଗୁଳ ଏସ.ପି.ଙ୍କୁ ଏହି ଘଟଣା ପାଇଁ ଦାୟୀ କରିବା ସହ ସନ୍ଧ୍ୟା ଯାଏଁ ଏସ.ପି. ଅଫିସ ଘେରାଉ କରି ବସିଥିଲେ ଲୋକେ ।
ସୂଚନା ଅନୁସାରେ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କର ତାଳଚେର ବାଘୁଆବୋଲ ଅଞ୍ଚଳରେ ଏକ କ୍ଲିନିକ ରହିଛି । ଗତ ନଭେମ୍ବର ୮ ତାରିଖରେ ତାଳଚେର ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ପରିବାର ସହ ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ । ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଡାକ୍ତର ତାଙ୍କୁ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ କରିଥିଲେ । ଏହା ପରଦିନ ପୁଲିସ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଗତ କାଲି ରାତିରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ମୃତ୍ୟୁ ଖବର ଜଣା ପଡିବା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ତାଳଚେର ଅଞ୍ଚଳର ଲୋକଙ୍କ ସୁଅ ଛୁଟିଥିଲା । ତେବେ ଜଣେ ବରିଷ୍ଠ ଡାକ୍ତର ତଥା ବରିଷ୍ଠ ନାଗରିକଙ୍କ ବିରୁଦ୍ଧରେ ମିଛ ମାମଲା ରୁଜ୍ଜୁ ହୋଇଥିବା ସତ୍ୱେ ପୁଲିସ ବିନା ତଦନ୍ତରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ବୋଲି ଲୋକ ଅଭିଯୋଗ କରିଥିଲେ । ଡାକ୍ତର ଜଣଙ୍କ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମ୍ପର୍କୀୟ । ଏଣୁ ରାଜନୈତିକ ଚାଲ କରି ଏଭଳି ଗିରଫଦାରୀ ହୋଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଏହା ସହ ଅନୁଗୁଳ ଏସ ପି ଓ ବିଧାୟକଙ୍କ ସମ୍ପର୍କ ଭଲ ନାହିଁ । ଏଣୁ ପୁଲିସ ମଧ୍ୟ ରାଜନୈତିକ ଚାଲର ଫାଇଦା ନେଇ ତରବରିଆ ଭାବେ ଡାକ୍ତରଙ୍କୁ ଗିରଫ କରିଥିଲା ବୋଲି ଅଭିଯୋଗ କରି ଲୋକ ଏକ ଶୋଭାଯାତ୍ରାରେ ଆସି ଏସ.ପି ଅଫିସ ଘେରାଉ କରିଥିଲେ । ଦୀର୍ଘ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ଡାକ୍ତର ୨୫ ଦିନ ହେଲା ଜେଲରେ ରହିବା ପରେ ତାଙ୍କ ମାନସିକ ଅବସ୍ଥା ବିଗିଡିବାରେ ଲାଗିଥିଲା । ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଣୁ ତାଙ୍କ ବିରୁଦ୍ଧରେ ମିଛ ମାମଲା ଦେଇଥିବା ନାବାଳିକାଙ୍କୁ ପରିବାର ଓ ସଠିକ ତଦନ୍ତ ନ କରି ଗିରଫ କରିଥିବା ଥାନା ଅଧିକାରୀ ଓ ଅନୁଗୁଳ ଏସ ପି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏସ ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ୟେଶରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇଥିଲା । ସକାଳ ପ୍ରାୟ ୧୦ ଟା ରୁ ଏସ.ପି ଅଫିସ ଆଗରେ ବସିଥିବା ଆନ୍ଦୋଳନକାରୀ ମାନେ ସନ୍ଧ୍ୟା ପ୍ରାୟ ୬ ଟାରେ ଆନ୍ଦୋଳନରୁ ଉଠିଥିଲେ । ତେବେ ଏହି ଘଟଣାକୁ ନେଇ ଏବଂ ଏସ.ପି.ଙ୍କ ବଦଳି ଦାବି କାରୀ ଆସନ୍ତାକାଲି ତାଳଚେର ବନ୍ଦ ଡାକରା ମଧ୍ୟ ଦିଆଯାଇଛି ।
What’s your Reaction?
+1
+1
+1
+1
+1
5
+1
+1
1