ମା’ ରାମଚଣ୍ଡୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ମା’ ରାମଚଣ୍ଡୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଛେଣ୍ଡିପଦା-ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ୍‌ର କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ୫ ଦିନ ବ୍ୟାପି ପ୍ରସିଦ୍ଧ ବାର୍ଷିକ ଯାତ୍ରା,ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି । ପାଗ ଅନୁକୁଳ ହେତୁ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଆରମ୍ଭ ହୋଇଥିବା ମା’ଙ୍କ ପୂଜାର୍ଚ୍ଚନା ଯଥାରୀତିନୀତି ଅନୁସାରେ ସମ୍ପର୍ଣ୍ଣ କରାଯାଇଥିଲା । କୋଶଳା ଗ୍ରାମ୍ୟ କମିଟି ସଭାପତି କୁତାର୍ଥ ଦେହୁରୀ ଓ ସମ୍ପାଦକ ସାହୁ,ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟର ସଭାପତି ତଥା ସରପଂଚ ଉଦିତ କୁମାର ପ୍ରଧାନ,ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଯାତ୍ରା ଦିନ ଦେହୁରୀ ପ୍ରତ୍ୟୁଷରୁ ପ୍ରଥମେ ପୀଠ ଓ ବାଳଧୁପ ପୂଜା କରନ୍ତି । ସକାଳୁ ୧ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିଥାନ୍ତି । ପରେ ଦିନ ୨ଟାରେ ରୀତିନୀତି ଅନୁଯାୟୀ ଦିଆଣୀ (କାଳିଶି) ରାଜକୀୟ ପରିପାଟିରେ ସଜ୍ଜିତ ହୋଇ ଢ଼ୋଲ,ନିଶାଣ,ଘଣ୍ଟ ,ଘଣ୍ଟି,ଛତି,ତରାସ,ସହ ଏକ ବିରାଟ ପଟୁଆରରେ ପୀଠକୁ ଆସନ୍ତି । ପ୍ରଥମେ ଛାଟ ଖୁମ୍ବ ଓ ଖୁମ୍ବେଶ୍ୱରୀଙ୍କ ପୂଜା ପରେ ଦିଆଣୀ ଦେହରେ ଠାକୁରାଣୀ ଆବିର୍ଭାବ ହୁଅନ୍ତି । ବେଢ଼ା ଭିତରେ ଅଧିଆ ପଡିଥିବା ଭକ୍ତ ମାନଙ୍କୁ ଉଠାଇ ଦିଆଣୀ ପ୍ରସାଦ ସହ ଆଶିର୍ବାଦ ପ୍ରଦାନ କରିଥାନ୍ତି । ଏହି ଅବସରରେ ମନ୍ଦିର ବେଢ଼ା ସମେତ ଆଖପାଖ ସମ୍ପୁର୍ଣ୍ଣ ଲୋକାରଣ୍ୟ ହୋଇପଡିଥିଲା । ଏହି ଯାତ୍ରା ଅବସରରେ ମନ୍ଦିର ପରିଚାଳନା କମିଟି,ଟ୍ରଷ୍ଟ ସଭ୍ୟ ଓ ଗ୍ରାମବସୀଙ୍କ ଉପସ୍ଥିତିରେ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଲୋକନାଥ ପ୍ରଧାନଙ୍କ ପତ୍ନୀ ଗୌରୀ ପ୍ରଧାନ ସକାଳ ୮.୩୦ରେ ଯାତ୍ରାର ପରମ୍ପରା ଅନୁଯାୟୀ ପୀଠ ପରିସରରେ ଜାତୀୟ ପତାକା ଉତୋଳନ କରିଥିଲେ । ପୂଜା ଅବସରରେ ମାନସିକ ରଖିଥିବା ଭକ୍ତ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ବେଢ଼ା ଭିତରେ ଅଧିଆ ପଡିଥାନ୍ତି । ଚଳିତ ବର୍ଷ ମୋଟ ୬୮ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷଙ୍କ ସମେତ ୬୫ ଜଣ ମହିଳା ବିଭିନ୍ନ ମାନସିକ ନେଇ ଠାକୁରାଣୀଙ୍କ ନିକଟରେ ଅଧିଆ ପଡିଥିଲେ । ନିଃସନ୍ତାନ ପରିବାର କିମ୍ବା ଦୁରାରୋଗ୍ୟରେ ପିଡିତା ମାନେ ମାନସିକ ପୁରଣ ଲାଗି ମା’ଙ୍କ ନିକଟରେ ଅଧିଆ ପଡିବାର ପରମ୍ପରା ବହୁ ଦିନରୁ ରହିଆସିଛି । ସେ ଦୃଷ୍ଟିରୁ ମନ୍ଦିର ବେଢ଼ାରେ ଥିବା ୧୬ଶିରା ବିଶିଷ୍ଟ ଡମ୍ବରୁ ଆକୃତିର ଛାଟ ଖୁମ୍ବ ନିକଟରେ ମାନସୀକଧାରୀ ଅଧିଆ ପଡିଥିଲେ । ଅପରାହ୍ନ ୪ଟାରେ ମନ୍ଦିରର ମୂଖ୍ୟ ପୂଜକ ପଟାୟତ ଦେହୁରୀ ପୂଜା ସମାପ୍ତ କରି ମାନସିକ ଧାରୀକୁ ଭୋଗ ଦେଇଥିଲେ । ପୀଠ ସ୍ଥଳରେ ମୁଣ୍ଡନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରାୟ ୬୫୦ରୁ ଅଧିକ ଛୋଟ ଶିଶୁଙ୍କ ସମେତ ବିଭିନ୍ନ ମାନସକଧିାରୀଙ୍କ ମୁଣ୍ଡନ କରାଯାଇଥିଲା । ଗ୍ରାମବାସୀ ଓ ଟ୍ରଷ୍ଟବୋର୍ଡ ସଭ୍ୟଙ୍କ ଦ୍ୱାରା ଯାତ୍ରା ପରିଚାଳନା କରାଯାଇଥିଲା । ପୂଜାକୁ ସରସ ସୁନ୍ଦର କରିବା ପାଇଁ ମା’ରାମଚଣ୍ଡୀ ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସକାଳ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବ୍ୟବସ୍ଥା କରଯାଇଥିଲା । ସେହିପରି କୋଶଳା ଡ୍ରାଇଭର ମହାସଂଘ ପକ୍ଷରୁ ଥଣ୍ଡା ପାନୀୟ ଜଳ ସହ ରୋଗୀବୁହା ଗାଡିର ଆୟୋଜନ କରାଯାଇଥିଲା । କୋଶଳା ରାମନବମୀ ଅନୁଷ୍ଠାନକୁ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ଦାୟିତ୍ୱ ଦିଆଯାଇଛି । ବହୁ ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ସାମଗ୍ରୀ ଉପରେ ପ୍ରାୟ ୬ଶହରୁ ଅଧିକ ଅସ୍ଥାୟୀ ଦୋକାନ ବଜାର ଖୋଲିଥିବାବେଳେ ମୀନା ବଜାର ସହ ବିଭିନ୍ନ ଛୋଟବଡ ଦୋଳି ପଡିଥିଲା । ଏହି ଯାତ୍ରାରେ ଟ୍ରଷ୍ଟ ବୋର୍ଡ ଓ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟସେବା,ପାନୀୟଜଳ,ସୁଚନା କେନ୍ଦ୍ର,ଚୁଟି ମୁଣ୍ଡନ,ଧାରଣା ଓ ଆଲୋକ ବ୍ୟବସ୍ଥା ସହ ଶାନ୍ତିଶୃଙ୍ଖଳା ପାଇଁ ସ୍ୱେଛାସେବି ସଂଗଠନଙ୍କୁ ନିୟୋଜିତ କରାଯାଇଛି । ଯାତ୍ରାରେ ଶାନ୍ତିଶୃଙ୍ଖଳା ପାଇଁ ଅନୁଗୋଳ ଉପଖଣ୍ଡ ଅରକ୍ଷୀ ଅଧିକାରୀ ରମାକାନ୍ତ ମହାଲିକଙ୍କ ତତ୍ୱାବଧାନରେ ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ ରାଉତରାୟ,ବାଗଡିଆ ଥାନା ଅଧିକାରୀ ବିପ୍ଲବ ସାହୁ, ଛେଣ୍ଡିପଦା ଏସଆଇ ରାଜେଶ କୁମାର ଶତପଥିଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ପୁଲିସ ଫୋସ ମୃତୟନ କରାଯାଇଛି । ଦମକଳ ବାହିନୀ ପକ୍ଷରୁ ମଧ୍ୟ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply