ଜଙ୍ଗଲ ବିଭାଗ ଭୂଲ୍ ତଥ୍ୟ ଦେଉଥିବା ଅଭିଯୋଗ – ଆଇନର ଆଶ୍ରୟ ନେବେ ଗ୍ରାମବାସୀ

ଜଙ୍ଗଲ ବିଭାଗ ଭୂଲ୍ ତଥ୍ୟ ଦେଉଥିବା ଅଭିଯୋଗ – ଆଇନର ଆଶ୍ରୟ ନେବେ ଗ୍ରାମବାସୀ


ଅନୁଗୋଳ – ଜଙ୍ଗଲ ସୁରକ୍ଷା ଓ ପରିଚାଳନା ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ନିୟୋଜିତ କରାଯାଉଅଛି । ଗ୍ରାମବାସୀ ସାମୂହିକ ଭାବେ ପାରମ୍ପରିକ ଜ୍ଞାନ କୈାଶଳ ସହିତ ସାମାଜିକ ବ୍ୟବସ୍ଥାରେ ଠେଙ୍ଗା ପାଳି କରି ଜଙ୍ଗଲ ସୁରକ୍ଷା ଦେଇ ସଫଳତା ଆଣିଛନ୍ତି । ଏପରିକି ସରକାରଙ୍କର ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଗ୍ରାମବାସୀଙ୍କର ସୁରକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା ଜଣାଯାଇଛି । ଗ୍ରାମବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ୍, ଯୁଗ୍ମ ଜଙ୍ଗଲ ପରିଚାଳନା ନୀତିରେ ସରକାରୀ ସ୍ତରରେ ସ୍ୱୀକୃତି ଦିଆଯାଉଅଛି । ଗ୍ରାମବାସୀଙ୍କ ନିଷ୍ଠା ଓ ଉଦ୍ୟମରେ ଜଙ୍ଗଲ ବୃଦ୍ଧି ପାଉଥିବାରେ କୈାଣସି ଦ୍ୱିମତ ନାହିଁ । ମାତ୍ର ଏ ସବୁ ସତ୍ୱେ ବନ ବିଭାଗ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ନ ଜଣାଇ ଜଙ୍ଗଲକୁ ବିଭିନ୍ନ ବିକାଶ କାର୍ଯ୍ୟ ଉଦେ୍ଦଶ୍ୟରେ ପ୍ରଦାନ କରୁଥିବା ଗ୍ରାମବାସୀଙ୍କୁ ହତତ୍ସାହିତ କରିଅଛି । ଜିଲ୍ଲାରେ ଖଣି, ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ହଜାର ହଜାର ଜଙ୍ଗଲ ଧ୍ୱଂସ ପାଉଥିଲେ ମଧ୍ୟ ଗରିବ ଗ୍ରାମବାସୀ ମାନଙ୍କୁ ବନ ବିଭାଗ ଅଣଦେଖା କରି ଚାଲିଛି । ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ଗଞ୍ଜଡା ଗ୍ରାମବାସୀ ୩୫ ବର୍ଷ ଧରି ଗାଁ ପାଖ ରାଜସ୍ୱ ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି । ଏକଦା ସଂପୂର୍ଣ୍ଣ ପଡିଆ ହୋଇ ଯାଇଥିବା ଅଞ୍ଚଳକୁ ଗ୍ରାମବାସୀ ଏକ ଘଞ୍ଚ ଜଙ୍ଗଲରେ ପରିଣତି କରିପାରିଛନ୍ତି । ଜଙ୍ଗଲ ବୃଦ୍ଧି ପାଇବା ପରେ ବନ ବିଭାଗ ୨୦୧୮ରେ ଯୁଗ୍ମ ଜଙ୍ଗଲ ପରିଚାଳନା ନୀତି ରେ ସ୍ୱୀକୃତିତଃ ଏକ ରେଜିଷ୍ଟ୍ରେସନର ପ୍ରମାଣ ପତ୍ର ଦେଇଛି ।ବନ ବିଭାଗ ପାଖରେ ଏ ସବୁ ଖବର ଥାଇ ମଧ୍ୟ ଉକ୍ତ ଜଙ୍ଗଲକୁ ଅଭୟାରଣ୍ୟର ବିସ୍ଥାପିତଙ୍କ ପୁନଃବସତି ପାଇଁ ଜଙ୍ଗଲ ଜମି ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଅଛନ୍ତି । ଅନୁଗୋଳ ତହସିଲଦାର୍ ଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ପଠାଯାଇଥିବା ପ୍ରସ୍ତାବରେ ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଅଛି । ବନ ବିଭାଗ ପାଖକୁ ପଠାଯାଇଥିବା ପ୍ରସ୍ତାବରେ ବନ ବିଭାଗ ଜାଣିଶୁଣି ତାହାର କୈାଣସି ଯାଞ୍ଚ୍ କରିନାହିଁ । ବନ ବିଭାଗ ପାଖରେ ସମସ୍ତ ତଥ୍ୟ ଥାଇ ମଧ୍ୟ ଭୂଲ୍ ପ୍ରସ୍ତାବକୁ ଜାଣିଶୁଣି ଯାଞ୍ଚ ସମୟରେ କୈାଣସି ଟିପଣୀ ଦେଇନାହିଁ । ବନ ବିଭାଗ ପ୍ରସ୍ତାବିତ ଜଙ୍ଗଲ ଏରିଆକୁ ଗଞ୍ଜଡା ଓ ଖଇରସାହି ବନ ସୁରକ୍ଷା ସମିତିକୁ ପ୍ରଦାନ କରି ରେଜିଷ୍ଟ୍ରେସନ ସହିତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପ୍ରସ୍ତାବରେ କୈାଣସି ମତାମତ ଦେଇନାହିଁ । ବ୍ୟବହାରିକ ସଂସ୍ଥା ଭାବରେ ତହସିଲଦାର୍ ଏବଂ ସାତକୋଶିଆ ବନଖଣ୍ଡ ମଧ୍ୟରେ ଅଘୋଷିତ ଅସାଧୁ ମେଣ୍ଟ ଓ ମଧୁ ଚନ୍ଦ୍ରିକା ପାଇଁ ଏଭଳି ପରିସ୍ଥିତି ହୋଇଛି । ପ୍ରକାଶ ଥାଉକି ପଠାଯାଇଥିବା ପ୍ରସ୍ତାବରେ ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ବସତିସ୍ଥାପନ କରୁଥିବା ଗ୍ରାମବାସୀଙ୍କ ବିସ୍ଥାପନରେ ପୁନଃବସତି ପାଇଁ ଜଙ୍ଗଲ ଜମି ବ୍ୟବହାର ନେଇ ଦର୍ଶାଯାଇଛି । ଅପରପକ୍ଷରେ ବ୍ୟବହାରୀ ସଂସ୍ଥା ତହସିଲଦାର୍, ଅନୁଗୋଳ ଅଭୟାରଣ୍ୟର ବାହାର ସୀମାରେ ଥିବା ଗ୍ରାମବାସୀଙ୍କୁ ବିସ୍ଥାପନ କରି ପୁନଃବସତି କରୁଥିବା ଜଣାଯାଇଛି ।ପ୍ରସ୍ତାବ ରେ ଭୂଲ୍ ତଥ୍ୟ ଦେଇ ବାହାର ଗ୍ରାମବାସିଙ୍କୁ ପୁନଃବସତି କରୁଥିବା ଏକ ବେଆଇନ୍ କାର୍ଯ୍ୟ ଅଟେ । ଅନ୍ୟପକ୍ଷରେ ଗତ ତା ୦୯.୦୬.୨୦୨୨ ରିଖରେ ପ୍ରାଥମିକ ଭାବେ ମଞ୍ଜୁରୀ ପାଇଥିବା ଜଙ୍ଗଲ ଜମି ବ୍ୟବହାର ନେଇ ସର୍ତ୍ତାବଳୀ ରହିଛି । ଏହି ସବୁ ସର୍ତ୍ତାବଳୀରେ ଜଙ୍ଗଲ ଅଧିକାର ଆଇନ୍ ବଳରେ ପ୍ରସ୍ତାବିତ ଜଙ୍ଗଲ ଜମି ପାଇଁ ସଂପୃକ୍ତି ଗ୍ରାମ ଗୁଡିକରେ ଗ୍ରାମସଭା ହୋଇ ଗ୍ରାମବାସୀଙ୍କର ମତାମତ ଗ୍ରହଣ ସହିତ ସେମାନଙ୍କୁ ଜଙ୍ଗଲ ଅଧିକାର ସ୍ୱୀକୃତି ଦିଆଯାଇଥିବାର ସାର୍ଟିଫିକେଟ୍ ଆବଶ୍ୟକ ରହିଛି । କୋର୍ ଏରିଆ ଏବଂ ବନ୍ୟପ୍ରାଣୀ ଆଇନ୍ ବଳରେ ଘୋଷିତ (ଅଭୟାରଣ୍ୟ, ଜାତିୟ ଉଦ୍ୟାନ ଓ ବାଘ ପ୍ରକଳ୍ପ) ଏରିଆରୁ ବିସ୍ଥାପିତଙ୍କୁ ପୁନଃବସତି ପାଇଁ ସର୍ତ୍ତ ରହିଛି । ଏସବୁକୁ ଉପେକ୍ଷା କରି ବନ ବିଭାଗ ଜଙ୍ଗଲ ସଂରକ୍ଷଣ ଆଇନ୍ -୧୯୮୦ ଏବଂ ଜଙ୍ଗଲ ଅଧିକାର ଆଇନ୍ -୨୦୦୬ କୁ ଉଲ୍ଲଙ୍ଗନ କରୁଅଛି । ଗାଁ ରେ ଗ୍ରାମସଭା ନ କରି ଏକ ସଚେତନତା ସଭାର ଦସ୍ତଖତକୁ ଗ୍ରାମସଭାର ରୂପ ନେଇ ଗ୍ରାମବାସୀଙ୍କୁ ଠକିଅଛି । ବନ ବିଭାଗ ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷାର ରକ୍ଷା କବଚ ପରିବର୍ତ୍ତେ ଗ୍ରାମବାସୀଙ୍କ ଦ୍ୱାରା ସୁରକ୍ଷା ଜଙ୍ଗଲକୁ ବେଆଇନ୍ ଭାବରେ ଧ୍ୱଂସ କରିଅଛି । ଜଙ୍ଗଲ ଆଇନ୍ କୁ କାର୍ଯ୍ୟକାରୀ କରୁଥିବା ନିଜେ ବନ ବିଭାଗ ଆଇନ୍ ର ଉଲ୍ଲଙ୍ଘନ କରୁଥିବାରୁ ବନ ବିଭାଗ ପାଖରୁ ଗ୍ରାମବାସୀଙ୍କର ବିଶ୍ୱାସ ତୁଟି ଯାଉଛି । ଜଙ୍ଗଲ ସଂରକ୍ଷଣ ଆଇନ୍ କୁ ଉଲ୍ଲଙ୍ଘନ କରିଥିବାରୁ ଗ୍ରାମବାସୀ (ଟାଇଁସି- ଧଉରାଗୋଠ ଓ ଗଞ୍ଜଡା) ଜାତୀୟ ସବୁଜ ଅଦାଲତ (ଏନଜିଟି)ଙ୍କୁ ଯିବା ସହିତ ସରକାରଙ୍କର ଏସ୍ସି ଓ ଏସଟି କମିଶନ ଏବଂ ମାନବିକ ଅଧିକାର କମିଶନକୁ ଜଣାଇବାକୁ ବାଧ୍ୟ ହେବୁ ସାମ୍ବାଦିକ ଗ୍ରାମବାସୀ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply