ମାଟି କାମୁଡ଼ିଛି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ – ଷ୍ଟାଡ଼ିୟମ୍‌ ଜରାଜୀର୍ଣ୍ଣ ଅବସ୍ଥା, କାହାକୁ ଦିଶୁନି

ମାଟି କାମୁଡ଼ିଛି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ – ଷ୍ଟାଡ଼ିୟମ୍‌ ଜରାଜୀର୍ଣ୍ଣ ଅବସ୍ଥା, କାହାକୁ ଦିଶୁନି

ଅନୁଗୁଳ – ନାଁ’କୁ ମାତ୍ର ଷ୍ଟାଡିୟମ୍ । ଏଠାରେ ଖେଳ କମ୍‌, ରାଜନୀତି ଅଧିକ । କ୍ରୀଡ଼ା ଆୟୋଜନର ନାଁ’ ଗନ୍ଧ ନାହିଁ । ଅଥଚ ଅନ୍ୟାନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ଘାସ ଛିଣ୍ଡିଗଲାଣି । ଜରାଜୀର୍ଣ୍ଣ ହୋଇ ପଡ଼ିଛି ଖେଳ ପଡିଆ’ । ଖେଳାଳିକୁ ଖେଳିବାକୁ ଜାଗା ମିଳୁନି, ହେଲେ ହାଟ ବସୁଛି । ଚାରି ଆଡ଼େ ଅଳିଆ, ଆବର୍ଜନା । ଗାଈଗୋରୁ, ବୁଲା କୁକୁରଙ୍କ ଅବାଧ ପ୍ରବେଶ । କେବଳ ଗାଈଗୋରୁ ନୁହଁ, ମଣିଷ ପାଇଁ ପାଇଖାନା ପାଲଟିଛି । ମଦ୍ୟପଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ଖେଳିବାକୁ କି ବ୍ୟାୟାମ କରିବାରେ ସମସ୍ୟା ହେଉଥିବାରୁ କ୍ରୀଡ଼ାବିତ୍ ଏବେ କ୍ରୀଡ଼ାରୁ ମୁହଁ ଫେରାଇଲେଣି । ମୂଳଲକ୍ଷ୍ୟଠାରୁ ଯୋଜନ ଯୋଜନ ଦୂରରେ ଥିବା ଅନୁଗୁଳ ଷ୍ଟାଡିୟମ୍‌ର ଏ ସ୍ଥାନୀୟ ସ୍ଥିତି କିନ୍ତୁ ପ୍ରଶାସନ କି ରାଜନୈତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରି ପାରିନାହିଁ ।


ଅନୁଗୁଳରେ ମାଟି କାମୁଡି ପଡିଛି କ୍ରୀଡ଼ା, ଉତ୍ସାହ ହରାଇନ୍ତି କ୍ରୀଡାବିତ୍ । କ୍ରୀଡ଼ାର ବିକାଶ ପାଇଁ କାହାର ଆନ୍ତରିକତା ନାହିଁ । ଖେଳାଳି ନିଜ ଉଦ୍ୟମରେ ଯାହା ଯେତିକି କରୁଛନ୍ତି ସିନା , ସରକାରୀ ପ୍ରୋତ୍ସାହନ କିଛି ନାହିଁ । କ୍ରୀଡ଼ା କ୍ଷେତ୍ରକୁ ଆଡ଼ ଆଖିରେ ଚାହୁଁନି ପ୍ରଶାସନ । ସରକାରୀ ସ୍ତରରେ କ୍ରୀଡ଼ା ଓ କ୍ରୀଡାବିତ୍‌ଙ୍କ ଉନ୍ନତି କଥା କେବଳ ଭାଷଣ ବାଜିରେ ସୀମିତ ରହିଛି । କିନ୍ତୁ ଅନୁଗୁଳ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ବିକାଶ ଦିଗରେ ନା ପ୍ରଶାସନିକ ଇଚ୍ଛାଶକ୍ତି ଅଛି ନା ଲୋକ ପ୍ରତିନିଧିଙ୍କ ଆନ୍ତିରିକତା । ସମସ୍ତେ ଚେଇଁ ଶୋଇଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ସ୍ଥିତି ନିମ୍ନଗାମୀ ହେବାରେ ଲାଗିଛି । ଅନୁଗୁଳ ଷ୍ଟାଡିୟମ୍‌ର ଦୟନୀୟ ଚିତ୍ରକୁ ଦେଖିଲେ ପ୍ରଶାସନ କ୍ରୀଡ଼ା ପ୍ରତି ଥିବା ଉଦାସୀନତା ବାରି ହୋଇଯାଉଛି । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରୁ କେତେ ଜାତୀୟ ସ୍ତରୀୟ ଖେଳାଳି ବାହରିଛନ୍ତି ? କ୍ରୀଡ଼ା ଭିତ୍ତିଭୂମି ବିକାଶ ଦିଗରେ କେଉଁସବୁ ପଦକ୍ଷେପ ନିଆଯାଇଛି ? ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
ଅନୁଗୁଳ ସହରର ଛାତି ଉତ୍ତରେ ରହିଛି ଅନୁଗୁଳ ଷ୍ଟାଡିୟମ୍ । ରାତି ନପାହୁଣୁ ବ୍ୟାୟାମ ସାଙ୍ଗକୁ ନିଜକୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ପାଇଁ ଶହ ଶହ ଯୁବଗୋଷ୍ଠୀଙ୍କ ଭିଡ଼ ଲାଗୁଥିଲା । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏଠାରେ ନିଜକୁ ପ୍ରସ୍ତୁତ କରୁଥିଲେ ଖେଳାଳି । କିନ୍ତୁ ଧିରେ ଧିରେ ଷ୍ଟାଡିୟମ୍ ଉଜୁଡିବା ପରେ ଏଥିପ୍ରତି ଖେଳାଳି ମୁହଁ ଫେରାଇଲେଣି । ଷ୍ଟାଡିୟମ୍‌ରେ ଆଉ କ୍ରୀଡ଼ା ଉପଯୋଗୀ ପରିବେଶ ଆଉ ନାହିଁ । ଏହାର ଉନ୍ନତି ତ ଦୂରର କଥା ରକ୍ଷଣାବେକ୍ଷଣ ହେଉନଥିବାରୁ ପରିତ୍ୟକ୍ତ ହୋଇ ପଡ଼ିଛି । ଷ୍ଟାଡିୟମ୍ ସାରା ଅନାବନା ଗଛ ବୃଦ୍ଧି ପାଇବା ସହ ଚାରିଆଡ଼େ କୁଢ କୁଢ ଅଳିଆ ପଡ଼ିରହିଛି । ପରିଶ୍ରାଗାର ଓ ଶୌଚାଳୟଗୁଡିକର ଅବସ୍ଥା ନକହିବା ଭଲ । ଉଦ‌ବେଗର ବିଷୟ ହେଲା, କ୍ରୀଡ଼ା ଭିତ୍ତିଭୂମି ନଷ୍ଟ ହୋଇ ସାରିଥିବା ବେଳେ ପ୍ରଶାସନ ଏବେ ଷ୍ଟାଡିୟମ୍‌କୁ ବହୁବିଧ ଅଣକ୍ରୀଡ଼ା କାର୍ଯ୍ୟରେ ଲଗାଉଛି ।
ଷ୍ଟାଡିୟମ୍‌ରେ ଖେଳ କମ୍‌, ଅନ୍ୟ କାର୍ଯ୍ୟକ୍ରମ ଅଧିକ ହେଉଛି । ପିଲାଙ୍କୁ ଖେଳରୁ ବଞ୍ଚିତ କରି ବିଭିନ୍ନ ସମୟରେ ଷ୍ଟାଡିୟମ୍‌ରେ ସରକାରୀ ଏମିତିକି ଘରୋଇ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଷ୍ଟାଡିୟମ୍‌ର ଉନ୍ନତିକରଣ ନେଇ ପ୍ରଶାସନ ପାଖରେ ବହୁବାର ଦାବି ହୋଇ ଆସୁଛି । ବିଭିନ୍ନ ସମୟରେ ଜିଲ୍ଲାର ଲୋକ ପ୍ରତିନିଧି ଷ୍ଟାଡିୟମ୍‌ର ଉନ୍ନତି କରିଦେବୁ କହି ବାହାସ୍ପୋଟ ମାରୁଛନ୍ତି । କିନ୍ତୁ ଷ୍ଟାଡିୟମ୍ ସେମିତି ଅଲୋଡ଼ା ହୋଇ ପଡ଼ିଛି । ନିସିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଗ୍ୟାଲେରୀ କେବେ ଭୁଶୁଡିବ କହିହେବ ନାହିଁ ।

ପୁର୍ବରୁ ଜିଲ୍ଲାର ବହୁ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପାରିଦର୍ଶିତା ଦେଖାଉଥିଲେ । କିନ୍ତୁ ତାହା ଏବେ ଯଥେଷ୍ଟ ଭାବେ ହ୍ରାସ ପାଇଛି । କହିବାକୁ ଗଲେ, ଜିଲ୍ଲାରେ ଭିତ୍ତିଭୂମି ଅଭାବରୁ କ୍ରୀଡ଼ା ବାଟ ହୁଡିଛି । ଅନେକ ପ୍ରତିଭା ଥିଲେ ହେଁ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ସେମାନଙ୍କ ପ୍ରତିଭା ପୁର୍ଣ୍ଣ ବିକଶିତ ହୋଇପାରୁନି । କିଛି ସଂଗଠନ କ୍ରୀଡ଼ା ବିକାଶ ପାଇଁ କ୍ଷମତା ସିନା ଜାବୁଡି ଧରିଛନ୍ତି ସିନା କ୍ରୀଡ଼ାର ବିକାଶ କ୍ଷେତ୍ରରେ ସେମାନଙ୍କର କାଣିଚାଏ ବି ଅବଦାନ ରହୁନି । କେବଳ ଗାଦି ମାଡ଼ି ବସିଛନ୍ତି । ପ୍ରଶାସନର ଅବହେଳା ଓ କ୍ରୀଡା଼ ସହ ଜଡ଼ିତ ଥିବା ସଙ୍ଗଠନ ଦୂରଦୃଷ୍ଟିର ଅଭାବ ଯୋଗୁଁ ଷ୍ଟାଡିୟମ୍‌ର ଆଜି ଏଭଳି ସ୍ଥିତି । ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା ଜିଲ୍ଲାରେ ପିଲାଙ୍କ ଖେଳିବା ପାଇଁ ଉପଯୋଗୀ ଷ୍ଟାଡିୟମ୍‌ର ଅଭାବ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଅପାରଗତାକୁ ହିଁ ବୟାନ କରୁଛି । ଜିଲ୍ଲା ଖଣିଜ ପାଣ୍ଠିରେ ହଜାରେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଌଡ଼ିରହିଛି । ଯଦି ଜିଲ୍ଲାର ଯୁବଗୋଷ୍ଠୀ କ୍ରୀଡ଼ାର ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବେ, ତେବେ ଏତେ ଟଙ୍କା କେଉଁ କାମକୁ ବୋଲି କ୍ରୀଡ଼ାପ୍ରେମୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଷ୍ଟାଡ଼ିୟମ୍ ଗ୍ୟାଲେରୀ । ଗ୍ୟାଲେରୀର କେଉଁଠି ସିମେଣ୍ଟ ଖସି ଲୁହାଛଡ଼ ଦିଶୁଛି ତ ଆଉ କେଉଁଠି ଦୂର୍ବଳ ହୋଇ ଭାଙ୍ଗିରୁଜି ଗଲାଣି । ଉଦ‌ବେଗର କଥା ହେଲା, ଗ୍ୟାଲେରୀ ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସତ୍ତ୍ୱେ ଚେତୁନି ପ୍ରଶାସନ । ନୂଆଁ ଗ୍ୟାଲେରୀ ନିର୍ମାଣ କରାଯାଉନି । ଅପରପେକ୍ଷରେ ଏହି ବିପଦପୂର୍ଣ୍ଣ ଗ୍ୟାଲେରୀକୁ ଲୋକଙ୍କ ଅବାଧ ଯାତାୟାତ ରହୁଛି । ସନ୍ଧ୍ୟାରେ ଅସାମାଜିକଙ୍କ ଆଡ୍ଡା ଜମୁଛି । ସାଧାରଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସ ସାଙ୍ଗକୁ ଜିଲ୍ଲା ମହୋତ୍ସବରେ ଗ୍ୟାଲେରୀରେ ଲୋକଙ୍କ ଭିଡ଼ ଜମୁଛି । ଗ୍ୟାଲେରୀ ତଳେ ଯାଯାବରଙ୍କୁ ଆଶ୍ରୟ ଦିଆଯାଇଛି । ଦୀର୍ଘଦିନ ହେଲା ଏମିତି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଷ୍ଟାଡ଼ିୟମ ଗ୍ୟାଲେରୀ ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଦେଖୁଛନ୍ତି । ହେଲେ କେହି ବି ନୂଆଁ ଗ୍ୟାଲେରୀ ନିର୍ମାଣ ଦିଗରେ ମନ ଦେଉନାହାନ୍ତି । କେତେବେଳେ ବଡ଼ ଧରଣର ଅଘଟଣ ଘଟିଲେ ଚେତିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply