ଅନୁଗୋଳ – ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଲୋକସେବା ଭବନର କନଭେନସନ ସେଣ୍ଟରରେ ପୂର୍ବାହ୍ମରେ ଶପଥ ଉତ୍ସବ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥପାଠ କରାଇବେ । ସୁଚନା ଯୋଗ୍ଯ ଯେ , ସପ୍ତାହ ତଳେ ମନ୍ତ୍ରିମଣ୍ଡଳରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ଏହାସହ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ଆସନ୍ତାକାଲି ହେବାକୁ ଥିବା ମନ୍ତ୍ରୀ ମଣ୍ଡଳରେ ଅନୁଗୋଳ ଜିଲ୍ଲାର କୌଣସି ବିଧାୟକ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସ୍ଥା ପ୍ରକଟ କରିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନୁଗୋଳ ଜିଲ୍ଲା ଗଠନକୁ ୩୦ ବର୍ଷ ପୁରିଥିଲେ ମଧ୍ୟ ଜିଲ୍ଲାରୁ ମାତ୍ର ଜଣେ ମନ୍ତ୍ରୀ ରାଜ୍ୟ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବେ ୪ ଜଣ ସୁଯୋଗ ପାଇଥିଲାବେଳେ ଗତ ୧୦ ବର୍ଷରେ ଜିଲ୍ଲାରୁ ଜଣେ ହେଲେ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ବିଜେଡି ସରକାରରେ ଅନୁଗୋଳର ଜଣେ ହେଲେ ବି ନେତା ୫ ବର୍ଷିଆ ମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିନାହାନ୍ତି । ଅଦ୍ବୈତ ପ୍ରସାଦ ସିଂହ, ଦେବେନ୍ଦ୍ର ପ୍ରଧାନ, ରବି ନାରାୟଣ ପାଣି, ଅମରନାଥ ପ୍ରଧାନ, ନଗେନ୍ଦ୍ର ପ୍ରଧାନ, ମହେଶ ସାହୁ, ଭଜମନ ବେହେରା, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ନେତା ଅନୁଗୋଳ ସୃଷ୍ଟି କରିଛି । ତାଳଚେର ମାଟିର ପ୍ୟାରୀମୋହନ ମହାପାତ୍ର ଏକଦା ଓଡ଼ିଶା ରାଜନୀତିର ବେଶ୍ ପ୍ରଭାବଶାଳୀ ଥିଲେ । କିନ୍ତୁ ଏହି ଅନୁପାତରେ ଜିଲ୍ଲା ଅଧିକ ମନ୍ତ୍ରୀ ପାଇନି । ୧୯୯୩ରେ ଅନୁଗୋଳ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏଠାରୁ କେବଳ ଅଦ୍ବୈତ ପ୍ରସାଦ ସିଂହ, ଅମରନାଥ ପ୍ରଧାନ, ନଗେନ୍ଦ୍ର ପ୍ରଧାନ, ସଂଜୀବ ସାହୁ ଓ ରଜନୀକାନ୍ତ ସିଂହ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ସରକାର ଥିବା ସମୟରେ ଆଠମଲ୍ଲିକ ବିଧାୟକ ଅମରନାଥ ପ୍ରଧାନ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୪ରେ ବିଜେଡି-ବିଜେପି ସରକାରର ପୁଣି ନେତୃତ୍ବ ବେଳେ ଆଠମଲ୍ଲିକ ବିଧାୟକ ନଗେନ୍ଦ୍ର ପ୍ରଧାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ୨୦୦୬ରେ ତାଙ୍କୁ ବାଦ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବୀରମହାରାଜପୁର ବିଧାୟକ ଭାବେ ଜିତିଥିବା ଅନୁଗୁଳ ଜିଲ୍ଲାର ସଂଜୀବ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା । ଏହି ସମୟ ଭିତରେ ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ବ ସେ ତୁଲାଇଥିଲେ । ୨୦୦୯ରେ ବିଜେଡି ଏକୁଟିଆ ସରକାର ଗଢ଼ିଥିଲା । ସେହିବର୍ଷ ଅନୁଗୋଳ ଜିଲ୍ଲାର ୪ ଆସନ ବିଜେଡି ଜିତିଥିଲାବେଳେ ସ୍ବାଧୀନ ଭାବେ ତାଳଚେରରୁ ବ୍ରଜ କିଶୋର ପ୍ରଧାନ ଜିତିଥିଲେ । ଅନୁଗୋଳରୁ ରଜନୀକାନ୍ତ ସିଂହ, ପାଳଲହଡ଼ାରୁ ରବି ନାରାୟଣ ପାଣି , ଆଠମଲ୍ଲିକରୁ ସଂଜୀବ ସାହୁ ଓ ଛେଣ୍ଡିପଦାରୁ ଖଗେଶ୍ବର ବେହେରା ବିଜେଡି ଟିକେଟ୍ରେ ଜିତିଥିଲେ । ରବି ନାରାୟଣ ପାଣି ଓ ରଜନୀକାନ୍ତ ସିଂହଙ୍କ ପରି ଅଭିଜ୍ଞ ବିଧାୟକ ଥିଲେ ମଧ୍ୟ ସଂଜୀବଙ୍କୁ ପୁଣି ଭରସା କରିଥିଲା ଦଳ । ଜିଲ୍ଲାର ଏକମାତ୍ର ବିଧାୟକ ଭାବେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । କିନ୍ତୁ, ୫ ବର୍ଷ ପୂରଣ କରିବା ପୂର୍ବରୁ ସେ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡ୍ନାଇଟ ଅପରେସନ’ ବିବାଦରେ ଫସିଥିଲେ । ତେଣୁ ୨୦୧୨ରେ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା । ଏହା ପରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ରାଷ୍ଟ୍ରମନ୍ତ୍ରୀ ଖଣି ଓ ଇସ୍ପାତ ବିଭାଗ ଦାୟିତ୍ବ ଦେଇଥିଲେ ନବୀନ । ୨୦୧୪ ନିର୍ବାଚନରେ ଅନୁଗୋଳର ସମସ୍ତ ୫ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଜିତିଥିଲେ । ଅନୁଗୋଳରୁ ରଜନୀକାନ୍ତ ସିଂହ, ପାଳଲହଡ଼ାରୁ ମହେଶ ସାହୁ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକରୁ ସଂଜୀବ ସାହୁ ଓ ଛେଣ୍ଡିପଦାରୁ ସୁଶାନ୍ତ ବେହେରା ବିଧାୟକ ହୋଇଥିଲେ । ସୁଶାନ୍ତଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବିଧାୟକ ଅଭିଜ୍ଞ ଓ ପ୍ରଭାବଶାଳୀ ଥିବାରୁ ଅନୁଗୋଳ ଏକାଧିକ ମନ୍ତ୍ରୀ ପଦ ପାଇବ ବୋଲି ଆଶା କରାଯାଉଥିଲା । କିନ୍ତୁ ଜଣଙ୍କୁ ହେଲେ ବି ମନ୍ତ୍ରିମଣ୍ଡଳରେ ଜାଗା ମିଳି ନ ଥିଲା । ୨୦୧୯ରେ ବି ସମାନ ସ୍ଥିତି । ବିଜେଡି ସମସ୍ତ ୫ଟି ଯାକ ବିଧାୟକ ପଦ ହାତେଇଥିଲେ ବି ଜିଲ୍ଲାରୁ ଜଣେ ହେଲେ ବି ବିଧାୟକ ମନ୍ତ୍ରୀ ପଦ ମିଳି ନାହିଁ । ତେବେ ସାଧାରଣ ନୀର୍ବାଚନ ଆଉ ଏକ ବର୍ଷ ମଧ୍ଯରେ ହେବାର ସମ୍ଭାବନା ଥିବା ବେଳେ ଆସନ୍ତା କାଲି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ଏହି ସମ୍ପ୍ରସାରଣ ବେଳେ ଅନୁଗୋଳ ଜିଲ୍ଲାକୁ ଗୁରୁତ୍ୱ ଦିଆ ଯିବ କି ନାହିଁ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ଜିଲ୍ଲାରେ ରଜନୀକାନ୍ତ ସିଂହ , ବ୍ରଜ କିଶୋର ପ୍ରଧାନ , ସୁଶାନ୍ତ ବେହେରା ଭଳି ଅଭିଜ୍ଞ ବିଧାୟକ ଥିବା ବେଳେ ଏହି କାହାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ରଜନୀକାନ୍ତ ସିଂହ ଉପ-ବଚସ୍ପତି ପଦରୁ ଇସ୍ତଫା ଦେଇ ନଥିବାରୁ ତାଙ୍କୁ ମନ୍ତ୍ରି ମଣ୍ଡଳ ସ୍ଥାନ ନ ମିଳି ବ୍ରଜଙ୍କୁ ଗୁରୁତ୍ୱ ଦିଆ ଯାଇପାରେ ବୋଲି ମଧ୍ଯ ଚର୍ଚ୍ଚା ହେଉଛି ।
What’s your Reaction?
+1
6
+1
+1
1
+1
+1
11
+1
5
+1
4