ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ

ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ

ଅନୁଗୁଳ – ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଂଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା । ତେବେ ଆଜି ସ୍କୁଲ ଛୁଟି ହେବା ପରେ ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ ଏକ ମାଂସ କଟା କଟୁରିରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ । ମୁଣ୍ଡରେ କଟୁରି ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡି ଯିବାରୁ ଆକ୍ରମଣକାରୀ ଛାତ୍ର ଜଣଙ୍କ ଦୌଡ଼ି ପଳାଇଥିଲେ । ସ୍କୁଲର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଂଚିବା ସହ ଚିକିତ୍ସା ପରେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଭି ଘଟଣା ସହରରେ ଚାଂଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରିଥିବା ଜଣା ପଡିଛି । ଆହତ ଛାତ୍ରଙ୍କୁ ବିନା ମୂଲ୍ୟରେ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇ ଦେଇ ତାର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁଗୁଳ ବିଧାୟକ ଆହତ ଛାତ୍ରଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

What’s your Reaction?
+1
0
+1
1
+1
0
+1
0
+1
3
+1
0
+1
0

Leave a Reply