୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଜଗନ୍ନାଥ ଏରିଆ ଓ ସୁଭଦ୍ରା ଏରିଆ ଠାରେ ମହାନଦୀ କୋଲ ଫିଲଡ(ଏମସିଏଲ)ର ଗୋଟିଏ ଲେଖାଁଏ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏହା ସହ ଜଗନ୍ନାଥ ଏରିଆରେ ଗୋଟିଏ କେଭିର ନୂତନ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଭୂମିପୂଜନ ମଧ୍ୟ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ , ତାଳଚେରରେ ନୂଆ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେମାନେ ବିଶ୍ୱ ମାନବତାର କଲ୍ୟାଣ ପାଇଁ କାମ କରିବା ଦିଗରେ ବ୍ରତୀ ହେବେ । ସେହିପରି ତାଳଚେରରେ ଡେରା କୋଲିଏରି ହାଇସ୍କୁଲର ଉନ୍ନତି ପାଇଁ ଏମସିଏଲ ଦାୟିତ୍ୱ ନେଇଛି । ଆଗାମୀ ଦିନରେ ଏଠାରେ ଶିକ୍ଷାର ଭିତିଭୂମିର ବିକାଶ ପାଇଁ ଅନେକ ଯୋଜନା କରାଯାଉଛି । ଆଗାମୀ ଦିନରେ ତାଳଚେର ସ୍ଥିତ ଆଇଟିଆଇକୁ ଏକ ବୃହତ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ । ଏମସିଏଲର ଭୋକେସନାଲ ଟ୍ରେନିଂ ସେଂଟରକୁ ସ୍କିଲ ଡେଭଲପମେଂଟ୍ ସେଂଟରରେ ବିକଶିତ କରାଯିବ । ଏହା ଦ୍ୱାରା କେବଳ ସ୍ଥାନୀୟ କର୍ମଚାରୀ ନୁହେଁ ବରଂ ବିସ୍ଥାପିତ, ଯୁବକ ଯୁବତୀ, ମହିଳାମାନେ ଏଠାରୁ ପ୍ରଶିକ୍ଷଣ ପାଇ ରୋଜଗାର କରିବା ସହ ଜଣେ ଜଣେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅନୁଗୁଳ ତାଳଚେରର କୋଇଲା ଦ୍ୱାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ଲୋକମାନେ ଉପକୃତ ହୋଇଥାନ୍ତି । ଓଡ଼ିଶା ଓ ଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ । ମାତ୍ର ଏଠାରେ ସମୟ ସମୟରେ ପ୍ରତିବାଦ କରାଯିବା ବେଳେ କୋଇଲା ଖଣି ଓ କଳକାରଖାନାକୁ ବନ୍ଦ ରଖାଯିବା ଚିନ୍ତାଜନକ । ହଠାତ୍ କୋଇଲା ଖଣି ବନ୍ଦ ହେବା ଫଳରେ ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ବ୍ୟାଘାତ ଘଟିବା ସହ ସମଗ୍ର ଭାରତବର୍ଷ କ୍ଷତି ହୋଇପାରେ । ସେହିପରି ଅନେକ ସମୟରେ ପ୍ରତିବାଦ କାରଣରୁ କୋଇଲା ଖଣି ବନ୍ଦ ହେବା କାରଣରୁ ତାଳଚେର ଅଞ୍ଚଳ ଶ୍ରୀହୀନ ହେବାର ଆଶଙ୍କା ରହିଛି । ତେଣୁ ଦେଶର ହିତ ପାଇଁ ପ୍ରତିବାଦ ନ କରିବା ପାଇଁ ସବୁ ରାଜନୈତିକ ଦଳ ଓ ସଂଗଠନକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ମୋତେ ଗାଳି କରିପାର କିନ୍ତୁ ସମସ୍ତେ ବିକାଶରେ ବାଧା ଦେବା ଅନୁଚିତ୍ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ଉଚିତ୍ । ପ୍ରତିବାଦ ସମୟରେ ସାମୟିକ ଭାବେ ଏଠାକାର କୋଇଲା ଖଣି ଓ କଳକାରଖାନା ବନ୍ଦ କରାଯିବା ଅନୁଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହାବ୍ୟତିତ ଆଜି ଦିନରେ ପ୍ରଥମ ଥର ପାଇଁ ତାଳଚେରରୁ ଏମସିଏଲ ଦ୍ୱାରା ୧୦୦ ରେକ୍ କୋଇଲା ଦେଶର କୋଣ ଅନୁକୋଣକୁ ଯୋଗାଣ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply