ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍‌

ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍‌

ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ ମାର୍ଗଦର୍ଶନ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛନ୍ତି । ଗାଁର ଝିଅ ରାଜ୍ୟସ୍ତରରେ ନିଜକୁ ପ୍ରତିପାଦିତ କରି ଗାଁ ତଥା ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପାଇବାକୁ ସେ ଅନେକ କଷ୍ଟ ମଧ୍ୟ ସହିଛନ୍ତି । ବହୁ ଘାତପ୍ରତିଘାତକୁ ସହି ଲକ୍ଷ୍ୟ ସ୍ଥିର କରି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ଆର୍ଥିକ ଓ ସାମାଜିକ ପ୍ରତିବନ୍ଧକକୁ ଖାତିର ନକରି ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି ଗାୟତ୍ରୀ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ)ର ମହିଳା କ୍ରିକେଟ୍ ଟିମ୍‌ର ଟେକ୍ନିକାଲ୍ ଆନାଲିଷ୍ଟ୍ ଭାବେ ଗାୟତ୍ରୀ ସଫଳତାର ସହ କାର୍ଯ୍ୟ ଜାରି ରଖିଛନ୍ତି ।
ଅନୁଗୁଳ ସହରଠାରୁ ପ୍ରାୟ ୩୦ କିମି ଦୂର ମଫସଲ ଅଞ୍ଚଳ ଉଗୀ ମାଳିସାହି ଗାଁର ଝିଅ ହେଉଛନ୍ତି ଗାୟତ୍ରୀ । ଝିଅକୁ ନେଇ ଏବେ ବାପା ହେମନ୍ତ ବେହେରା ଓ ମା’ବୀଣାପାଣି ବେହେରାଙ୍କ ସମେତ ପରିବାର ଓ ଗ୍ରାମବାସୀ ଗର୍ବିତ ।

ଭାଇ ଓ ସାହି ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ଗାୟତ୍ରୀ ପଡ଼ିଆରେ ବସି ଖେଳ ଦେଖୁଥିଲେ । ଧିରେ ଧିରେ ତାଙ୍କର ମଧ୍ୟ କ୍ରିକେଟ୍ ଖେଳ ପ୍ରତି ଦୁର୍ବଳତା ଆସିଥିଲା । ବ୍ୟାଟ୍ ଧରି ପୁଅ ପିଲାଙ୍କ ମେଳରେ କ୍ରିକେଟ୍ ଖେଳିଥିଲେ । ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗିଥିଲେ ମଧ୍ୟ ଇଚ୍ଛାଶକ୍ତିକୁ କୌଣସି ପ୍ରତିବନ୍ଧକ ରୋକିପାରିନଥିଲା । ଝିଅର କ୍ରିକେଟ୍ ଖେଳ ପ୍ରତି ଉତ୍ସାହ ଦେଖି ବାପା,ମା’ ଓ ଭାଇମାନେ ମଧ୍ୟ ଉତ୍ସାହିତ କରିଥିଲେ । ଏହାପରଠୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ଗାୟତ୍ରୀ । ଖେଳରେ ସେ ଏତେ ପାରଙ୍ଗମ ହେଲେ ଯେ ପୁଅ ମାନଙ୍କୁ ମଧ୍ୟ ଟକ୍କର ଦେଲେ । ଭାଇ ତାଙ୍କୁ ଆଗକୁ ବଢ଼ିବାକୁ କୋଚିଂର ବ୍ୟବସ୍ଥା କରାଇଲେ । ଅନୁଗୁଳ ସହର କଦମ ପଡ଼ିଆରେ କ୍ରିକେଟ୍ କୋଚିଂ ନେବାକୁ ଗାୟତ୍ରୀଙ୍କ ନାମ ଲେଖାଇଲେ ।

କ୍ରିକେଟକୁ ଭଲ ପାଉଥିବା ଗାୟତ୍ରୀ ଏହି କ୍ରିକେଟ୍ ଖେଳିବା ପାଇଁ ପ୍ରାୟ ୩୦ କିମି ବସ୍‌ରେ ସବୁଦିନ ଯିବା ଆସିବା କରି ଖେଳିବା ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ୁଥିଲା । ଏପରିକି ବସ୍‌ରେ ସବୁଦିନ ଯିବାଆସିବା କରିବାକୁ ଭଡ଼ା ମଧ୍ୟ ତାଙ୍କ ପାଖରେ ରହୁ ନଥିଲା । ଏତେ କଷ୍ଟରେ ସେ କ୍ରିକେଟ ଖେଳି ଜିଲ୍ଲା ଟିମ୍ ପାଇଁ ମନୋନୀତ ହୋଇ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ରାଜ୍ୟ ଟିମ୍‌ରେ ଖେଳିବାକୁ ସେ ଲକ୍ଷ୍ୟ ରଖିଥିବା ବେଳେ କୌଣସି କାରଣ ପାଇଁ ସେ ମନୋନୀତ ହୋଇ ପାରିନଥିଲେ । କିନ୍ତୁ ଏଥିରେ ସେ ଭାଙ୍ଗି ପଡ଼ିନଥିଲେ । ନିଜର ଭଲ ପ୍ରଦର୍ଶନ ଓ କ୍ରିକେଟ୍ ଖେଳ ସମ୍ପର୍କିତ ଜ୍ଞାନ ତାଙ୍କୁ ରାଜ୍ୟସ୍ତରରେ ପରିଚିତ କରାଇପାରିଥିଲା । ଏବେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ଦ୍ୱାରା ରାଜ୍ୟ ମହିଳା କ୍ରିକେଟ ଦଳର ଟେକ୍ନିକାଲ୍ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ଟିମ୍‌ରେ ଖେଳି ନପାରିଲେ କଣ ହେଲା, ରାଜ୍ୟର ଖେଳାଳୀଙ୍କ ମାର୍ଗଦର୍ଶକ ସାଜି ନିଜର ଲକ୍ଷ୍ୟକୁ କିଛି ମାତ୍ରାରେ ପୂରଣ କରିପାରିଛନ୍ତି ବୋଲି କହିଛନ୍ତି ଗାୟତ୍ରୀ । ଆଉ ଏହି ଦାୟିତ୍ୱକୁ ମଧ୍ୟ ଏବେ ସେ ସୁଚାରୂପେ ତୁଲାଇ ଆସୁଛନ୍ତି । ଉଗୀ ମାଳିସାହି ଭଳି ନିପଟ ମଫସଲ ଗାଁରୁ ଯାଇ ରାଜ୍ୟସ୍ତରରେ କ୍ରିକେଟ ଟେକ୍‌ନିକାଲ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରି ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ନିଜେ ରାଜ୍ୟ ଟିମ୍‌ର ଖେଳାଳି ହେବା ପାଇଁ ସ୍ୱପ୍ନ ଦେଖିଥିବା ଗାୟତ୍ରୀ ଏବେ ଓସିଏର ଭଲ ଖେଳାଳି ଗଢ଼ିବାରେ ଏକ ବଡ଼ ଦାୟିତ୍ୱ ମୁଣ୍ଡାଇଛନ୍ତି । ଯାହାକୁ ନେଇ ଏବେ ତାଙ୍କ ପରିବାର, ଗାଁ ଓ ସାଥି ତଥା ତାଙ୍କ ଖେଳ ସଂସ୍ପର୍ଶରେ ଆସିଥିବା ଖେଳାଳି ବେଶ୍ ଖୁସି ଅନୁଭବ କରୁଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
17
+1
0
+1
0

Leave a Reply