ଅନୁଗୁଳ – ଶିଳ୍ପ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାର ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ । ଯାହା ଫଳରେ ଜିଲ୍ଲାରେ ବଞ୍ଚିବା ଦୁର୍ବିସହ ହୋଇ ଗଲାଣି । ଶ୍ବାସ, ଯକ୍ଷ୍ମା, କ୍ୟାନ୍ସର,ଚର୍ମଜନିତ ରୋଗ ଆଦିରେ ଲୋକମାନେ ପଡି ହନ୍ତସନ୍ତ ହେଉଥିବାବେଳେ ଖଣି କଳକାରଖାନାର ଧୂଆଁ ଧୂଳି, ଯାନବାହନରୁ ନିର୍ଗତ ଧୂଆଁ ପ୍ରଦୂଷଣର ମାତ୍ରାକୁ ଦ୍ବିଗୁଣିତ କରୁଛି । ଶିଳ୍ପାୟନ ଓ ଖଣି ଖାଦାନ ବୃଦ୍ଧି ଯୋଗୁଁ ଅନୁଗୁଳ ଜିଲ୍ଲାରୁ ସବୁଜିମା ହଜି ଯିବାକୁ ବସିଥିବାବେଳେ, ପୁରୁଣା ଜଙ୍ଗଲକୁ ଖଣି କର୍ତ୍ତୃପକ୍ଷ କାଟିବାରେ ଲାଗି ପଡିଛନ୍ତି ।
ଏବେଠାରୁ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ଏଭଳି ଉତ୍କଟ ହେଲାଣି , ତେବେ ଆଗକୁ କଣ ସ୍ଥିତି ରହିବ ତାହା ଅନୁମାନ କରା ଯାଇ ପାରୁଛି । ତେଣୁ ଏହାର ନିରାକରଣ ପାଇଁ ଆଗକୁ ଆସିଛନ୍ତି ଜିଲ୍ଲାର ସ୍ବେଚ୍ଛାସେବୀ । ବୁଧବାର ଏହି ପ୍ରଦୂଷଣର ସମାଧାନ କରିବା ପାଇଁ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ସମ୍ମୁଖରୁ ସାଇକଲରେ ଶୋଭାଯାତ୍ରାରେ ଭୁବନେଶ୍ଵର ବାହାରିଥିଲେ । ବିଶିଷ୍ଟ ସମାଜସେବୀ କୃଷ୍ଣା ମହାନ୍ତି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସ୍ବେଛାସେବୀ ପର୍ଶୁରାମ ଦାଶ , ପ୍ରତାପ ମହାପାତ୍ର , ମୋତିଲାଲ ଆର୍ଯା , ଆଦ୍ୟାଶ୍ଳୋକ ମିଶ୍ର , ରୁକେଶ ଦାସ ଓ ଅନ୍ୟାନ୍ୟ ୬ଜଣ ସ୍ଵେଚ୍ଛାସେବୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳଙ୍କୁ ଭେଟି ଅନୁଗୁଳର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦାବି ପତ୍ର ଦେବା ପାଇଁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଆଜି ସେମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବାରୁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକଙ୍କା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀ ରବି ନାଏକ ଦାବି ପାତ୍ର ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।