ନାଲକୋନଗର – ନାଲକୋ ଟ୍ରକ ଓନର ୱେଲଫାୟାର ଆସୋସିଏସନ ଓ ଅନଗୁଳ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁନଥିବାରୁ ଟ୍ରକ ସଂଘ ପକ୍ଷରୁ ଡିସେମ୍ବର ମାସ ୮ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଯୋଗେ ଆଲୁମିନିୟମ ପରିବହନ ବନ୍ଦ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ତ୍ରିପାକ୍ଷିକ ଆଲୋଚନା ବିଫଳ ଓ ଗତ ଡିସେମ୍ବର ମାସରେ ନାଲକୋ ପ୍ରଶାସନ ସହିତ ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଦୁଇ ଦୁଇଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିବାରୁ ଡିସେମ୍ବର୨୪ ତାରିଖ ଉଭୟ ଟ୍ରକ ମାଲିକ ସଂଘ ନାଲକୋ ସ୍ମଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ସମୁଖ ରେ ଧାରଣା ଦେବା ସହ ନାରାବାଜୀ ଦେଇଥିଲେ ।ଇତି ମଧ୍ୟରେ ୧ମାସ ବିତି ଯାଇଛି । କେବଳ ନାଲକୋ ପ୍ରଶାସନ ଓ ଟ୍ରକ ମାଲିକ ସଙ୍ଘ ନିଜ ନିଜର ପରିବହନ ମୂଲ୍ୟ ପ୍ରଦାନ କରିଥିଲେ କିନ୍ତୁ ନିର୍ମାଣ କରାଯାଇଥିବା କମିଟି କୌଣସି ପଦକ୍ଷପ ନ ନେବାରୁ ଆଜି ଉଭୟ ଟ୍ରକ ମାଲିକ ସଂଘ ସକାଳ ୮ଘଟିକା ସମୟ ରେ ନାଲକୋ ସ୍ମେଲଟର ପ୍ଲାଣ୍ଟ ସମୁଖ ରେ ଧାରଣା ଦେଇଥିଲେ । ଆଜି ନାଲକୋ ପ୍ରଶାସନ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ଆଲୋଚନା କରିବାକୁ ଆସି ନଥିଲେ । ପରେ ଉଭୟ ଟ୍ରକ ମାଲିକ ସଂଘ ପକ୍ଷରୁ କୁଲାଡ଼ ସ୍ଥିତ ଥିବା ରେଳ ଧାରଣାରେ ରେଳ ରୋକ କରିଥିଲେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଟ୍ରକ ମାଲିକ ରେଳ ଧାରଣାରେ ବସି ରହି ଆନ୍ଦୋଳନ କରୁଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଆଡ଼ିସିନାଲ ଏସ୍.ପି ପିକେ ବିଶ୍ୱାଳ, ଅନଗୁଳ ଏସ୍.ଡି.ପି.ଓ ଅଶ୍ୱିନୀ ସାହୁଙ୍କ ସମେତ ୫ପ୍ଲାଟୁନ ଫୋର୍ସ ପହଞ୍ଚି ଥିଲେ । ସମସ୍ୟା ସମାଧାନ ନହେବାରୁ ଧାରଣାରେ ବସିଥିବା ପ୍ରାୟ ୮୦ ଜଣ ଟ୍ରକ ମାଲିକଙ୍କୁ ଅଟକ ରଖିଥିଲା ପୋଲିସ ।
ସେପଟେ ଟ୍ରକ ମାଲିକଙ୍କ କହିବା କଥା ନାଲ୍କୋନଗର ଟ୍ରକ ମାଲିକ ୱେଲଫେୟାର ଆସୋସିଏସନ୍ ୧୯୮୮ ମସିହାଠାରୁ ନାଲ୍କୋ , ଅନୁଗୋଳ ଠାରୁ ଭାରତର ବିଭିନ୍ନ ପ୍ରାନ୍ତକୁ ଆଲୁମିନିୟମ ପରିବହନ କରିଆସୁଛନ୍ତି । ପ୍ରାୟ ୩୦୦୦ ଗାଡି ପରିବହନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ବ୍ୟବସାୟ ଉପରେ ପ୍ରାୟ ୩୦ , ୦୦୦ ପରିବାର ନିର୍ଭରଶୀଳ । ଆଲୁମିନିୟମର ନିରାପଦ ଓ ନିଷ୍ଠାପର ଡେଲିଭରୀ ପାଇଁ ଏହି ଆସୋସିଏସନର ସୁନାମ ଅଛି । ଆଲୁମିନିୟମ ପରିବହନ ପାଇଁ ନାଲ୍କୋ ସହିତ ବିଭିନ୍ନ ସମୟରେ ଏହି ଆସୋସିଏସନ୍ର ଚୁକ୍ତି ପତ୍ର ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ସ୍ବାକ୍ଷରିତ ହୁଏ । ବର୍ତ୍ତମାନ ନାଲ୍କୋ କର୍ତ୍ତୃପକ୍ଷ ସମସ୍ତ ଆଲୁମିନିୟମ ରେଳଦ୍ଵାରା ପରିବହନ କରିବା ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ସମୟରେ ଆଲୋଚନାରେ ନାଲ୍କୋ କର୍ତ୍ତୃପକ୍ଷ ଟ୍ରକ ପରିବହନ ଖର୍ଚ୍ଚ ଅତ୍ୟଧିକ ହେତୁ ” ନାଲ୍କୋ ଆଲୁମିନିୟମ ବିକ୍ରି ହୋଇପାରୁନାହିଁ ର ଆଳ ଦେଖାଇ ଆସୁଛନ୍ତି । ତେଣୁ ସେମାନେ ରେଳରେ ପରିବହନ କରାଇ ବିକ୍ରି ବୃଦ୍ଧି କରାଇ ପାରିବେ ବୋଲି ଯୁକ୍ତି କରିଆସୁଛନ୍ତି । ୧୯୯୯ ମସିହା ଠାରୁ ପରିବହନ ଦର ବୃଦ୍ଧି କରାଯାଇନାହିଁ । ପ୍ରକାଶ ଥାଉକି ୧୯୯୯ ମସିହାରେ ଡିଜେଲ ଦର ୧୦.୦୪ ପଇସା ଥିବାବେଳେ ବର୍ତ୍ତମାନ ଡିଜେଲ ଦର ୮୨.୭୩ ପଇସା ଅଛି । ଏହି ପରିପ୍ରେକ୍ଷୀରେ ୧୯୯୯ ମସିହାରେ ଥିବା ଡିଜେଲ ଦର ଏବଂ ୨୦୨୧ ମସିହାରେ ଥିବା ଡିଜେଲ ଦର କି.ମି ପିଛା ଖର୍ଚ୍ଚ ବାବଦକୁ ଯାହା ପଡିବାକଥା ତାହା ଠାରୁ ଭଡା ଆମେ କମ୍ ନେଉଛୁ । ନାଲ୍କୋ କର୍ତ୍ତୃପକ୍ଷ ଷ୍ଟକ ଟ୍ରାନସଫର ଆଳରେ ଆଲୁମିନିୟମକୁ ରେଳରେ ଭିଶାଖାପାଟଣା , କଲିକତା ଓ ଜୟପୁର କୁ ପଠାଇ ଚାଲିଛନ୍ତି ଏବଂ ସେଠାରୁ ଭାରତର ବିଭିନ୍ନ ପ୍ରାନ୍ତ କୁ ବାହାର ରାଜ୍ୟକୁ ଟ୍ରକ ଦ୍ବାରା ପଠାଉଛନ୍ତି । ପୂର୍ବରୁ ମାସକୁ ଏକ୍ସପର୍ଟ ବାବଦରେ ୩ / ୪ ଟି ଗ୍ୟାକ୍ ( ରେଳ ) ଯାଉଥିବାବେଳେ ବର୍ତ୍ତମାନ ପୂର୍ବର ଚୁକ୍ତିକୁ ଖିଲାପ କରି ୯ / ୧୦ ଟି ରେଳ ମାଧ୍ୟମରେ ଡୋମେଷ୍ଟିକ୍ ମାର୍କେଟକୁ ମାଲ୍ ପରିବହନ କରୁଛନ୍ତି । ଯଦ୍ୱାରା ଏଠିକାର ୩୦୦୦ ଟ୍ରକ କାମ ନପାଇ ବସି ରହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସମାଧାନ ପାଇଁ ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଏହାର ପ୍ରତିବାଦରେ ସଂଘ ପକ୍ଷରୁ ପୁର୍ନବାର ତା୨୧.୦୧.୨୦୨୧ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଲକୋ ବିରୁଦ୍ଧରେ ସମ୍ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ଆରମ୍ଭ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହା ସହ ଆଗକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
What’s your Reaction?
+1
+1
+1
+1
+1
+1
+1