ଅନୁଗୁଳ – ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୁଳ ସହର ଉପକଣ୍ଠ ରନ୍ତଲେଇରେ ହୋଇଥିବା ଡବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ହତ୍ୟା କରିଥିବା ଦୁଇ ଭାଇ ରନ୍ତଲେଇର ସୁଜନ ସେନାପତି ଓ ସନ୍ତୋଷ ସେନାପତିଙ୍କୁ ଅଦାଲତ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଏହା ସହିତ ୨୫ ହଜାର ଟଙ୍କା ଜରିମାନା କରାଯାଇଛି ଜରିମାନା ଅନାଦେୟ ସେମାନଙ୍କୁ ଅତିରିକ୍ତ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦିଆ ଯାଇଛି । ସେହିଭଳି ଜଣେ ନାବାଳିକାଙ୍କୁ ଅପହଣ କରି ଦୁଷ୍କର୍ମ କରିବା ମାମଲାରେ ଖମାର ଥାନା ଓଡ଼ଶା ଗାଁର ବିରେନ ବେହେରା)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତା । ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ତାକୁ ଅତିରିକ୍ତ ୬ ମାସ ଜେଲ୍ ଦଣ୍ଡ ଆଦେଶ ରହିଛି ।
ସୂଚନା ଅନୁସାରେ, ଗତ ୨୦୨୦ ମସିହା ନଭେମ୍ବର ୪ ତାରିଖରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ରନ୍ତଲେଇ ପୋଡ଼ାଖମଣ ସାହିର ଦୁଃଶାସନ ସେନାପତିଙ୍କୁ ସେହି ଗାଁର ସୁଜନ ଓ ସନ୍ତୋଷ ଆକ୍ରମଣ କରିଥିଲେ । ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ମୂଷାପାପୁଲି ଡ୍ୟାମ୍ ଛକରେ ଦୁଃଶାସନ ବସି ମୋବାଇଲ ଦେଖୁଥିବା ସମୟରେ ତାଙ୍କୁ ଏହି ଦୁଇ ଭାଇ ଖଣ୍ଡା ଓ ଭୁଜାଲିରେ ଏକାଧିକ ଚୋଟ ପକାଇଥିଲେ। ଏହି ଖବର ପାଇ ଦୁଃଶାସନଙ୍କ ସାନ ଭାଇ ଦୁଷ୍ମନ୍ତ, ପୁଅ ରାକେଶ ଓ ରାଜେଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖିବା ପରେ ଅଭିଯୁକ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଦୁଷ୍ମନ୍ତ ଟଳି ପଡ଼ିବା ପରେ ତାଙ୍କୁ ଖଣ୍ଡାରେ ହାଣି ଦେଇଥିଲେ । ତେବେ ରାକେଶ ଓ ରାଜେଶ ଜୀବନ ବିକଳରେ ଧାଇଁ ପଳାଇବାରୁ ଅଳ୍ପକେ ବର୍ତି ଯାଇଥିଲେ। ଦୁଇ ଭାଇ ଦୁଃଶାସନ ଓ ଦୁଷ୍ମନ୍ତଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅନୁଗୁଳ ଥାନାରେ ଏତଲା ହେବା ପରେ ପୁଲିସ ୧୨୪୫/୨୦ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ସୁଜନ ଓ ସନ୍ତୋଷକୁ ଗିରଫ କରିଥିଲା । ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀଙ୍କ ଅଦାଲତରେ ଚାଲିଥିଲା। ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ଅନ୍ୟ ପ୍ରମାଣକୁ ଭିତ୍ତ କରି ଅଦାଲତ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରୁଥିଲେ ।
ସେହିଭଳି ଖମାର ଥାନା ଅଞ୍ଚଳର ଜଣେ ଛାତ୍ରୀ(୧୫ବର୍ଷ) ଦଶମ ପରୀକ୍ଷା ଦେବା ପରେ କଲେଜରେ ନାମ ଲେଖାଇବାକୁ ପ୍ରସ୍ତୁତି କରୁଥିଲେ । ୨୦୧୪ ମେ’ ୨୧ ତାରିଖରେ ତାଙ୍କୁ ବିରେନ ବେହେରା ଅପହରଣ କରି ନେଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଖମାର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୬୦/୧୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ପରେ ପୀଡ଼ିତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବିରେନକୁ ଗିରଫ କରିଥିଲା। ଏହି ମାମଲାର ବିଚାର ଆଡହକ ଅତିରିକ୍ତ ଜିଲ୍ଲା ଦୌର ଜଜ୍(ଫାଷ୍ଟଟ୍ରାକ୍) ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଦାଲତରେ ଚାଲିଥିଲା ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ ।