ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ୨ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ନତଡା ଗ୍ରାମର ଅଜୟ ବେହେରା ଓ କୁମଣ୍ଡ ଅଞ୍ଚଳରେ ଭଡାରେ ରହୁଥିବା ଅନୀଲ ବଂଥଲା ବୋଲି ଜଣା ପଡ଼ିଛି । ଗୁରୁତର ଦୁଇ ଜଣ ହେଲେ ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରା ।
ସୂଚନା ଅନୁସାରେ, ନତଡା ଗ୍ରାମର ଅଜୟ ବେହେରା , ସୁବ୍ରତ ପ୍ରଧାନ ଓ ସୁନୀଲ ବେହେରା ଏକ ମୋଟରସାଇକେଲ ଯୋଗେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ଅପର ପକ୍ଷରୁ ଅନୀଲ ବଂଥଲା ନାମକ ଯୁବକ ଆସୁଥିଲେ । କୁମଣ୍ଡ ଡେରଜାଙ୍ଗସାହି ନିକଟରେ ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ନତଡା ଗ୍ରାମର ଅଜୟ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଅନୀଲ ବଂଥଲାଙ୍କ ମୃତ୍ୟୁ ହୋଇଥିଲା। ଅନୀଲଙ୍କ ଘର ତେଲେଙ୍ଗାନା ହୋଇଥିବା ବେଳେ ସେ ଏଠାରେ ଏକ କୋଇଲା ଖଣିରେ କାର୍ଯ୍ୟ କରୁଥିବା ଜଣାପଡିଛି । ଖବର ପାଇ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।