ତାଳଚେର – ଘର ମାଲିକଙ୍କୁ ଲହୁଲୁହାଣ କରି ଘରୁ ୮୦ ଭାରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରୀ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ସେମାନଙ୍କ ନିକଟରୁ ଚୋରୀ ସୁନା ଏବଂ ଟଙ୍କା ଜବତ କରା ଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲାର ଅଭିମନ୍ୟୁ ସାହୁ ଏବଂ ଭଦ୍ରକ ଜିଲ୍ଲା ଧୂସୁରି ଗାଁର ଗିରିଶ ନାଏକ ।
ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୩୦ ତାରିଖ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାରବର୍ଗ ଆଜି ଏକ ନିର୍ବନ୍ଧରେ ଯୋଗ ଦେବାକୁ ଘର ତାଲା ପକାଇ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଅଶୋକ ଓ ତାଙ୍କ ଭଣଜା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଖୋଲା ଅଛି । ଭିତରକୁ ଯିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଚୋରି କରୁଥିବା ଦେଖି ପାଟି କରିଥିଲେ । ତେବେ ଦୁଇ ଦୁର୍ବୃତ୍ତ ହଠାତ ଏକ ଭୁଜାଲିରେ ଅଶୋକଙ୍କ ଭଣଜା ଅସିତ ଧଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଭୟରେ ଅଶୋକ ଓ ତାଙ୍କ ଭଣଜା କିଛି କରିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଘରର ଆଲମୀରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ନେଇ ଚମ୍ପଟ ମାରିଥିଲେ ।
ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।