ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଞ୍ଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ରାଜନୀତି । ଅନୁଗୁଳ ସହର ଷ୍ଟାଡିୟମ ଠାରେ ଆଜି ୧୭୦୦ ଲୋକଙ୍କୁ ଟିକାକରଣ କରିବାର ବନ୍ଦୋବସ୍ତ କରା ଯାଇଥିଲା । ଆଉ ପୂର୍ବ ନିର୍ଘଣ୍ଟ ଅନୁଯାୟୀ ସକାଳ ୮ ଟାରୁ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ପ୍ରାୟଗୋଟାଏ ବେଳେ ଟିକାକରଣ କେନ୍ଦ୍ରକୁ ୧୦ ରୁ ଊର୍ଦ୍ଧ୍ଵ ବିଜେପି କର୍ମୀ ଧସେଇ ପଶିଥିଲେ । ଆଉ ଟିକାକରଣ କେନ୍ଦ୍ର ଠାରେ ଲାଗିଥିବା ପୋଷ୍ଟରକୁ ନେଇ ବିରୋଧ କରି ବିଜେପି କର୍ମୀ ମାନେ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ପାଟିତୁଣ୍ଡ କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେବେ ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ବିଜେପି କର୍ମୀଙ୍କ ଏଭଳି ବିଶୃଙ୍ଖଳା ଯୋଗୁଁ ଘଣ୍ଟାଏ ପାଇଁ ଟିକାକରଣ ବନ୍ଦ କରାଯାଇଥିଲା । ତେବେ ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଟିକା ନେବାକୁ ଆସିଥିବା କିଛି ଲୋକ ନାପସନ୍ଦ କରିଛନ୍ତି । ଟିକା ନେବା ପାଇଁ ସେମାନେ ଘଣ୍ଟା ଘଣ୍ଟା ଧରି ବସି ରହିଥିବା ବେଳେ ବିଶୃଙ୍ଖଳା ଯୋଗୁଁ ଶେଷକୁ ଟିକା ନ ପାଇ ଫେରି ଯିବାକୁ ସହଜରେ ସେମାନେ ଗ୍ରହଣ କରି ପାରି ନାହାନ୍ତି । ସେପଟେ ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି । ଅନୁଗୁଳ ଆଡିସିନାଲ ତହସିଲଦାର ଦୁର୍ଯୋଧନ ସାହୁ ଏତଲା ଦେଇଛନ୍ତି । ସେପଟେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇ ଏଭଳି କାଣ୍ଡ ଘଟାଇଥିବା ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଇଛି । ବିଜୁ ଜନତା ଦଳ କର୍ମୀଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡର ସଠିକ ପରିଚାଳନା, ଟୀକାକରଣ ଓ ସ୍ଵାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ସାରା ଭାରତରେ ପ୍ରସଂଶା ପାତ୍ର ପାଲଟିଛନ୍ତି । ଓଡ଼ିଶା ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ସାରା ଭାରତରେ ପ୍ରାୟ ୧୮ଟି ରାଜ୍ୟକୁ ଯେଉଁପରି ଭାବରେ ଅମ୍ଳଜାନ ଯୋଗାଇ ସମଗ୍ର ଭାରତ ବର୍ଷରେ ସଞ୍ଜିବନୀ ପାଲଟିଛି । ଏହାକୁ ସହ୍ୟ କରି ନପାରି ଅନୁଗୋଳ ବିଜେପିର ଖୋଦ ଜିଲ୍ଲା ସଭାପତିଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତା ଅନୁଗୋଳ ଷ୍ଟାଡିୟମ ଠାରେ ଚାଲିଥିବା ଟୀକାକରଣରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ସେଠାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ଦୂର ଦୁରାନ୍ତରୁ ଆସିଥିବା ଜନ ସାଧାରଣଙ୍କୁ ଦୁର୍ବ୍ୟବହାର କରିଥିଲେ । ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ । ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୂର୍ଦ୍ଦାବାଦ ନାରାବାଜି ମଧ୍ୟ କରିଥିଲେ । ଏଥି ସହିତ ପୋଷ୍ଟର ଫିଙ୍ଗା ଫୋପଡା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ସମ୍ପୂର୍ଣ୍ଣ ଚିରି ପକାଇଥିଲେ । ଏହିଭଳି ଭାବେ ଭାରତୀୟ ଜନତା ପାର୍ଟିର ବିଶୃଙ୍ଖଳା, ତଳସ୍ତର ଚିନ୍ତାଧାରା ଓ ହୀନ ରାଜନୀତିକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି ।
What’s your Reaction?
+1
+1
+1
+1
+1
+1
+1