ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ପୁଲିସ ଜଣଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି ଘଟଣାର ଛାନ ଭିନ ଚଲାଇଛି l ମୃତକ ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା କତରାବାଗ ଥାନା ଅଞ୍ଚଳର ଲୋକନାଥ ମେହେର ବୋଲି ଜଣାପଡିଛି l ଏ ନେଇ ପରିବାର ଲୋକେ ନିଶା ଶିଳ୍ପାଞ୍ଚଳ ଥାନାରେ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ଆଣିଛନ୍ତି l ପୁଲିସ ସୂଚନା ଅନୁସାରେ ସମ୍ବଲପୁର କତରାବାଗ ଥାନା ଅଞ୍ଚଳର ଲୋକନାଥ ମେହେର ତାଳଚେରର ଏକ କୋଇଲା ଖଣିରେ ଚାକିରୀ କରାଇଦେବା ପାଇଁ ବ୍ରଜରାଜନଗରର ଅମିତ କୁମାର ବଢ଼େଇଙ୍କୁ ୯୫ ହଜାର ଟଙ୍କା ଦେଇଥିଲେ l ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଅମିତ କମ୍ପାନୀରେ ଚାକିରୀ ଦେଇନଥିଲେ l ତେଣୁ ଉକ୍ତ ଟଙ୍କା ଫେରେଇ ଦେବାକୁ ଲୋକନାଥ କହିଥିଲେ l ବାରମ୍ବାର ମାଗିବା ପରେ ଲୋକନାଥଙ୍କୁ ନିଯୁକ୍ତି ଦେବାକୁ କହି ଗତ ୪ ତାରିଖରେ ଲୋକନାଥଙ୍କୁ ଧରି ଅମିତ ଅନୁଗୁଳରେ ପହଞ୍ଚିଥିଲେ । ସେଠାରୁ ଅମିତ ଏକ ବାଇକ୍‌ରେ ଲୋକନାଥଙ୍କୁ ବସାଇ ହିଙ୍ଗୁଳା ଖଣିକୁ ଯିବେ ବୋଲି କହି ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଆସିଥିଲେ । ତେବେ ଶୌଚ ହେବା ପାଇଁ ସେ କଙ୍କରେଇ ନାଳ ନିକଟରେ ଅଟକିଥିଲେ। ଲୋକନାଥଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ନାଳ ଭିତରେ ତାଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଅମିତ ଫେରାର ହୋଇଯାଇଥିଲେ । ଲୋକନାଥଙ୍କ ପରିବାର ଲୋକେ ଲୋକନାଥଙ୍କ ସହ ଯୋଗାଯୋଗ କରି ନପାରିବାରୁ ସେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ କତରାବାଗ ଥାନାରେ ଅଭିଯୋଗ କରିଥିଲେ । ସମ୍ବଲପୁର ପୁଲିସ ଅମିତଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ବେଳେ ଲୋକନାଥଙ୍କୁ କଙ୍କରେଇ ନାଳ ପାଖରେ ହତ୍ୟା କରିଥିବା ଅମିତ ମାନି ଯାଇଥିଲା । ପରେ କତରାବାଗ ଥାନା ପୁଲିସ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ l ଏନେଇ ଲୋକନାଥଙ୍କ ପରିବାର ହତ୍ୟା କରାଯାଇ ଥିବା ନେଇ ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ କଙ୍କରେଇ ନାଳ ନିକଟରୁ ଲୋକନାଥଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲେ । ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅମିତକୁ ପଚରା ଉଚରା କରିବା ପରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି l

Advertisement

Leave a Reply

Your email address will not be published. Required fields are marked *