ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲ ମାଳରୁ ଆଜି(ରବିବାର) ଯୁବତୀଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପରେ ପୋଡି ମାରିଦେଇଥିବା ଜଣା ପଡୁଛି । ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ ଆଜିକୁ ୪ ବର୍ଷ ଧରି ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ କମ୍ପାନୀରୁ ଛୁଟି ନେଇ ଘରକୁ ବୁଲି ଆସିଥିଲେ । ୨୬ ତାରିଖ ପୁନଶ୍ଚ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରି ଆସିଥିଲେ । ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ । ତେଣୁ ଅଟୋରିକ୍ସା ରେ ତାଳଚେର ରୋଡ ଷ୍ଟେସନ ବାହାରି ଯାଇଥିଲେ । କିନ୍ତୁ ଅଟୋ ରେ ବାହାରି ଯିବା ପରେ ସୁଭଦ୍ରାଙ୍କ ଫୋନ୍ ସ୍ୱିଚ ଅଫ ହୋଇ ଯାଇଥିଲା । ଘର ଲୋକ ଯେତେ ଚେଷ୍ଟା କଲେ ବି ତାଙ୍କ ଫୋନ୍ ଲାଗି ନ ଥିଲା । ବହୁତ୍ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ପାଇ ପାରିନଥିଲେ ପରିବାର ଲୋକେ । ପର ଦିନ ପରିବାର ଲୋକେ ତାଳଚେର ଷ୍ଟେସନ ପରିସରରେ ଥିବା ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଝିଅର ଭାଇ ପ୍ରଶାନ୍ତ କୁମାର ପାଡିନ । ଝିଅର ବାପା ପଞ୍ଚାନନ ପାଡିନ , ଝିଅକୁ ଅଟୋ ଚାଳକ କେଉଁଆଡେ ଅପହରଣ କରିନେଇଥିବା ମଧ୍ୟ ସନ୍ଦେହ କରି ଥାନାରେ ଜଣାଇଥିଲେ । ତେବେ ଝିଅର ଫେରିବା ବାଟକୁ ଚାହିଁ ବାପା , ଭାଇ , ଭାଉଜ ରେଳବାଇ ଫାଣ୍ଡିରେ ଅପେକ୍ଷାରେ ବସିଥିବା ବେଳେ ରେଳବାଇ ପୁଲିସ କୋଲିୟାରୀ ଥାନା କୁ ପଠାଇ ଥିଲା । ତେବେ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ୨୬ ତାରିଖରୁ ଏ ଥାନାରୁ ସେ ଥାନା , ସେ ଥାନାରୁ ଏ ଥାନା ଦଉଡି ଦଉଡି ହତାସ ହୋଇ ପଡିଥିଲେ ବାପା ଓ ଭାଇ । ଶେଷରେ ଆଜି ଝିଅର ଜଳାପୋଡା ଶରୀର ମିଳିଛି ।
ଜିଲାରେ ପୁଣି ଏକ ଦୁଷ୍କର୍ମ ପରେଆ ହତ୍ୟା ଘଟଣାକୁ ନେଇ ଅସନ୍ତୋଷ ଦେଖା ଦେଇଛି । କିଛି ମାସ ଆଗରୁ ନିଶା ଥାନା ଅଞ୍ଚଳର ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଘଟଣା ମନରୁ ଯାଇ ନଥିବା ବେଳେ ପୁଣି ଆଉ ଏକ ଦୁଷ୍କର୍ମ ପରେ ହତ୍ୟା ଘଟଣା ଘଟିଛି । ଏଣୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।