ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଗ୍ରାମ ନିକଟସ୍ଥ ରାସ୍ତା ପାଖ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ନଅ ଦିନ ପରେ ନିଖୋଜ ଯୁବକର ଗଳିତ ମୃତ ଦେହ ଠାବ ହୋଇଛି । ମୃତ ଯୁବକ ଜଣକ ହେଲେ ତାଳଚେର ଦେଉଳବେଡା ଅଞ୍ଚଳର ବିଶ୍ୱଜିତ୍ ନାଏକ । ତେବେ ରାସ୍ତା ପାଖ ଜଙ୍ଗଲ ନିକଟ ଏକ ଟ୍ରେଞ୍ଚ ଭିତରେ ତାଙ୍କ ମୃତ ଦେହ ପଡିଥିବା ବେଳେ କିଛି ଦୂରରେ ତାଙ୍କ ସ୍କୁଟିଟି ପଡିଥିବା ଦେଖିବାକୁ ମିଳିଛି । ବିଶ୍ୱଜିତ୍ ଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ବିମଳ ନାୟକ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ତାଳଚେର ଓ କୋଲିୟାରୀ ପୁଲିସ ପହଁଚି ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍ୱାର୍ଡ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁସାରେ ଏପ୍ରିଲ ମାସ ୨୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ନେଇ ତାଳଚେର କୋଲିୟାରୀ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । କିନ୍ତୁ କଲିୟରୀ ପୁଲିସ ନିଖୋଜ ଯୁବକକୁ ଖୋଜିବା ପରିବର୍ତ୍ତେ ଘରୁ ଟଙ୍କା ନେଇ ମଉଜ କରିବାକୁ ଯୁବକ କେଉଁଆଡେ ପଳେଇ ଯାଇଥିବ ବୋଲି ଯୁବକଙ୍କ ବାପା ବିମଳଙ୍କୁ କହିଥିଲା ବୋଲି ବାପା ବିମଳା ନାଏକ ଅଭିଯୋଗ କରିଛନ୍ତି । ତେବେ ଆଜି ତାଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ପଡ଼ିଥିବା ସ୍ଥାନରେ ଏକ ରକ୍ତ ଲଗା ବାଡି ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ଯାହା ହତ୍ୟାର ସନ୍ଦେହକୁ ଘନୀଭୂତ କରୁଛି । ନିଖୋଜ ଯୁବକଙ୍କ ପତା ନ କରି ପୁଲିସ ବସି ଯାଇଥିବା ବେଳେ ଆଜି ଯୁବକଙ୍କର ମୃତଦେହ ମିଳିବା ପରେ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତକାଲି ସମାନ ଢଙ୍ଗରେ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଦୁଇ ଦିନରେ ଦୁଇଟି ଘଟଣା ତାଳଚେର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *