ଅନଲାଇନ ଏକ୍ସକ୍ଲୁସିଭସମସ୍ୟା ରାସ୍ତା ଗିଳୁଛି ମୁଣ୍ଡ – ବର୍ଷେ ଭିତରେ ୨୫% ଦୁର୍ଘଟଣା ବୃଦ୍ଧି Angul OnlineJuly 28, 2021July 28, 2021 ଅନୁଗୁଳ – ବେପରୁଆ ଗାଡ଼ି ଚାଳନା ଏବଂ ସୁରକ୍ଷାକୁ ଅଣଦେଖା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶିକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନୁଗୁଳ ଜିଲାରେ ମଧ୍ୟ ଏହି ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଉଭୟ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ଜିଲାରେ ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ସଡ଼କ ଦୁର୍ଘଟଣାର ସଂଖ୍ୟା କମାଇବା ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ନିର୍ଦେଶରେ ସଡ଼କ ସୁରକ୍ଷା କମିଟି ଗଠିତ ହୋଇଛି । ଏହି କମିଟି ପରାମର୍ଶ କ୍ରମେ ରାଜ୍ୟରେ ସଡ଼କ ସୁରକ୍ଷା ହ୍ରାସ କରିବା ଦିଗରେ ପଦକ୍ଷେପ ନିଆଯାଇଥାଏ । ଗତ କିଛି ଦିନ ପୂର୍ବେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସଂପର୍କରେ ଆଲୋଚନା କରାଯାଇଥିଲା । ୨୦୨୦ ମସିହାର ଜାନୁୟାରୀ ଠାରୁ ଏପ୍ରିଲ ଏବଂ ୨୦୨୧ ମସିହାର ଜାନୁୟାରୀ ଠାରୁ ଏପ୍ରିଲ୍ ମଧ୍ୟରେ କେତେକ ସଡ଼କ ଦୁର୍ଘଟଣା ଘଟିଛି ଏବଂ କେତେ ଜୀବନ ଯାଇଛି, ସେନେଇ ସମୀକ୍ଷା କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଗୋଟିଏ ବର୍ଷ ବ୍ୟବଧାନ ଭିତରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୭.୬୦ପ୍ରତିଶତ ବୃଦ୍ଧି ପାଇଛି । ଅଧିକାଂଶ ଜିଲା ବା ୨୬ଟି ଜିଲାରେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଅନୁଗୁଳ ଜିଲାରେ ଏହି ଗୋଟିଏ ବର୍ଷ ବ୍ୟବଧାନରେ ୨୪.୭ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଛି । ରାଜ୍ୟ ବାଣିଜ୍ୟ ଏବଂ ସଡ଼କ ପରିବହନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହା ଜାନୁୟାରୀ ଠାରୁ ଏପ୍ରିଲ ମଧ୍ୟରେ ଜିଲାରେ ୧୦୭ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ ମସିହା ଏହି ସମୟରେ ଅର୍ଥାତ ଜାନୁୟାରୀ ଠାରୁ ଏପ୍ରିଲ ମଧ୍ୟରେ ଉଭୟ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଛି । ୧୬୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ମାତ୍ର ୬୭ ଜଣଙ୍କ ଜୀବନ ଯାଇଛି । ଜିଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଅଘଟଣ ବଢ଼ିଛି । ଚଳିତ ବର୍ଷ ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲ୍ରେ ଅନୁଗୁଳ ସହର ଠାରୁ ଜରପଡ଼ା ଛକ ମଧ୍ୟରେ ୯ ଟି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଫେବୃୟାରୀରେ ୪ ଟି, ମାର୍ଚ୍ଚରେ ୩ ଟି ଏବଂ ଏପ୍ରିଲରେ ୨ ଟି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବଢ଼ୁଥିବା ବେଳେ ପାଟ୍ରୋଲିଂକୁ ଅବହେଳା କରାଯାଇଛି । ପୁଲିସ ତରଫରୁ ନିୟମିତ ପାଟ୍ରୋଲିଂ ହେଉନାହିଁ । କାରଣ ଫେବୃୟାରୀରେ ମାତ୍ର ଜଣେ ଟ୍ରାଫିକ ଉଲଂଘନକାରୀ ଧରାପଡ଼ିଥିବା ବେଳେ ମାର୍ଚ୍ଚରେ ୪ଜଣ ଧରାପଡ଼ିଛନ୍ତି । ଏପ୍ରିଲରେ କେହି ଜଣେ ହେଲେ ଧରାପଡ଼ି ନାହାନ୍ତି । ଅପରପକ୍ଷେ ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ୁଥିବା ଯୋଗୁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ତରଫରୁ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ଲେଖାଯାଇଛି । ସଡ଼କ ଦୁର୍ଘଟଣାରେ ମୋଟ ମୃତକଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛି ଦୁଇ ଚକିଆ ଯାନ ଚାଳକ । ମୃତ୍ୟୁ ସଂଖ୍ୟା କମାଇବା ପାଇଁ ବ୍ୟାପକ ପରିମାଣରେ ହେଲମେଟ୍ ଯାଞ୍ଚର ଆବଶ୍ୟକତା ରହିଛି । ରାଜପଥରେ ମଦ୍ୟପ ଚାଳକଙ୍କୁ ଧରିବା ପାଇଁ ନିଶ୍ବାସ ଯାଞ୍ଚ ସହ ଅନ୍ୟ କେତେକ ପଦକ୍ଷେପ ନେବାକୁ କୁହାଯାଇଛି । ଜିଲାର କେଉଁ ଅଞ୍ଚଳରେ ଅଧିକ ଦୁର୍ଘଟଣା ଘଟୁଛି, ସେଇ ଜାଗାଗୁଡ଼ିକୁ ଚିହ୍ନଟ ସହିତ ବୈଜ୍ଞାନିକ ପଦ୍ଧତିରେ ଯୋଜନା ପ୍ରସ୍ତୁତ କରାଯାଉ । ରାଜପଥ ଯାଞ୍ଚ ଦଳଗୁଡ଼ିକ ଅଧିକ ସକ୍ରୀୟତାର ସହ କାର୍ଯ୍ୟ କରିବା ସହ ଦୁର୍ଘଟଣା ଆହତଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲକୁ ସ୍ଥାନାନ୍ତର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । Advertisement
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା…