ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା

ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା

ଅନୁଗୁଳ – ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା କରିବେ ? ନା , ନୂଆ ଚେହେରା ନେଇ ନିର୍ବାଚନକୁ ଓହ୍ଲାଇବେ । ଏପଟେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ କାହାକୁ କାଟିବେ, କାହାକୁ ରଖିବେ ସେଥିନେଇ ବି ସମସ୍ୟା ବଢ଼ିବାରେ ଲାଗିଛି । ପ୍ରାର୍ଥୀ ଚୟନ ନେଇ ଅଡ଼ୁଆ ତୁଟୁ ନ ଥିବାରୁ ‌ଏହି ଆସନର ରାଜନୈତିକ ଚିତ୍ର ଗୋଳମାଳିଆ ହେବାରେ ଲାଗିଛି । କର୍ମୀମାନେ ଦ୍ବନ୍ଦ୍ବରେ, ନେତାମାନେ ବି ଚିନ୍ତାରେ ପଡ଼ିଛନ୍ତି । ଢେଙ୍କାନାଳ ଜିଲ୍ଲାର ୪ଟି ଓ ଅନୁଗୁଳ ଜିଲ୍ଲାର ୩ଟି ବିଧାନସଭା ଆସନକୁ ନେଇ ଗଠିତ ଢେଙ୍କାନାଳ ଲୋକସଭା ଆସନ ୨୦୦୪ରୁ ବିଜେଡି ଦଖଲରେ ରହିଛି । ୨୦୧୯ରେ ଏଠାରେ ଦ୍ବିତୀୟ ସ୍ଥାନରେ ଥିଲା ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ ରହିଥିଲା । ହେଲେ ୨୦୨୪ରେ କାହାକୁ କିଏ ପ୍ରାର୍ଥୀ କରିବେ, ତାହା ଉପରୁ ଏଯାଏଁ ପରଦା ଉଠିନାହିଁ । ସାଂସଦ ମହେଶ ସାହୁଙ୍କର ଅଧିକାଂଶ ବିଧାୟକଙ୍କ ସହ ଭଲ ସଂପର୍କ ନ ଥିବାରୁ ଏଥର ତାଙ୍କୁ ପୁଣି ଟିକେଟ୍‌ ମିଳିବା ସମ୍ଭାବନା କମ୍‌ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ମହେଶଙ୍କୁ ବିଧାନସଭା ପ୍ରାର୍ଥୀ କରି ଦଳ ତାଙ୍କ ବଦଳରେ ଦଳ ନୂଆ ଚେହେରା ଦେଇପାରେ । ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଭିତରୁ ଦଳ କାହାକୁ ଲୋକସଭା ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ଯପଟରେ ନେତାଙ୍କ ବଦଳରେ ଜଣେ ପ୍ରଶାସକଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ଯ ଚର୍ଚ୍ଚା ହେଉଛି । ବିଜେଡି ସହ ମେଣ୍ଟ ଭାଙ୍ଗିବା ପରେ ‌ବିଜେପି ଏହି ଆସନରେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କୁ ଭରସା କରି ଆସିଛି । ୨୦୦୯ରୁ କ୍ରମାଗତ ଭାବେ ସେ ଦଳର ଭୋଟ୍‌ ହାର ବଢ଼ାଇ ଚାଲିଛନ୍ତି , କିନ୍ତୁ ଜିତିପାରି ନାହାନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏଥର ସେ ଲଢ଼ିବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି । ଏପଟେ ଦୀର୍ଘଦିନ ଧରି ଏହି ଆସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋକସ୍‌ରେ ରଖିଥିଲେ ହେଁ ଏବେ ସମ୍ବଲପୁର ମୁହାଁ ହେବା ପରେ ଦଳ ପୁଣି ରୁଦ୍ରଙ୍କୁ ଭରସା କରିବ ନା ନୂଆ ମୁହଁ ଦେବ ସେ ନେଇ ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ଓ ଅନ୍ୟ ଜଣେ ଶିଳ୍ପପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିବା କେ.ପି. ସିଂହଦେଓ ଗତ ୨୦୧୯ ନିର୍ବାଚନରେ ମାତ୍ର ୮୦,୩୪୯ ଖଣ୍ଡ ଭୋଟ ପାଇଥିଲେ । ସେହିଦିନରୁ ସେ ଆଉ ସଂଗଠନ ସହ ସଂପର୍କରେ ନାହାନ୍ତି । ଦଳର ଅଧିକାଂଶ କାର୍ଯ୍ୟକ୍ରମକୁ ବି ଆସୁନାହାନ୍ତି । ତେଣୁ ସେ ପୁଣି ପ୍ରାର୍ଥୀ ହେବା ସମ୍ଭାବନା କମ୍‌ । ତାଙ୍କ ବଦଳରେ ଅନ୍ୟ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଖୋଜିବା କଂଗ୍ରେସ ପାଇଁ ଚିନ୍ତା ବଢ଼ାଇଛି । ବରିଷ୍ଠ ନେତ୍ରୀ ସସ୍ମିତା ବେହେରା କିମ୍ବା ଅନୁଗୁଳ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ଭିତରୁ ଦଳ କାହାକୁ ଏହି ଆସନରେ ଟିକେଟ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏପଟେ କେପିଙ୍କ ପରିବାର ଭିତରୁ ମଧ୍ୟ ଆଶାୟୀ ରହିଥିବା କୁହାଯାଉଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply