ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ

ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର (ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ ଏଜ୍ୟୁକେସନ- ସିଏମଇ)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ । କୋଇଲା ଉତ୍ପାଦନ କରିବାରେ ଏହି ଅଞ୍ଚଳ ଅନ୍ୟତମ । ଜିଲ୍ଲାରେ ଶିଳ୍ପର ବିକାଶ ମଧ୍ଯ ହେଉଛି । ଏହି ଅଞ୍ଚଳର ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ନିର୍ଦ୍ଦିଷ୍ଟ ଦକ୍ଷତା ବୃଦ୍ଧି ଦ୍ୱାରା ହିଁ ଲଜିଷ୍ଟିକ୍ସ କ୍ଷେତ୍ରରେ ଅତ୍ୟନ୍ତ ଆବଶ୍ୟକୀୟ ବିକାଶ ହୋଇପାରିବ । ନାଲକୋ କ୍ୟାମ୍ପସରେ ଏହାର ଅବସ୍ଥିତି ଥିବା ମ୍ୟାନେଜମଣ୍ଟ କେନ୍ଦ୍ର ରାଜ୍ୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷତାର ବଢୁଥିବା ଆବଶ୍ୟକତାକୁ ପୂରଣ କରିବ । ତେବେ କେବଳ ଅନୁଗୁଳ କିମ୍ବା ଢେଙ୍କାନାଳ ନୁହେଁ ବରଂ ଓଡ଼ିଶାରେ ଶିଳ୍ପ ସହ ଜଡିତ କର୍ମଚାରୀଙ୍କ ପ୍ରତି ଏହି ସେଣ୍ଟର ସମର୍ପିତ ରହିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରାରମ୍ଭରେ ଏହି ମ୍ୟାନେଜମେଣ୍ଟ କେନ୍ଦ୍ର ଡିଜିଟାଇଜେସନ ମାଧ୍ୟମରେ ଲଜିଷ୍ଟିକ୍ସ ଏବଂ ଅପରେସନ୍ ଉପରେ ତିନି ମାସ, ଛଅ ମାସ ଏବଂ ବର୍ଷିକିଆ କାର୍ଯ୍ୟନିର୍ବାହୀ ସ୍ନାତକୋତ୍ତର କାର୍ଯ୍ୟକ୍ରମ (ପିଜିପିଏକ୍ସ) ପ୍ରଦାନ କରିବ । ଏହି ପାଠ୍ୟକ୍ରମର ବିଷୟବସ୍ତୁକୁ ଶିଳ୍ପସଂସ୍ଥା ସହିତ ବିଚାରବିମର୍ଷ କରି ଆଇଆଇଏମ୍ ଦ୍ୱାରା ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ର ବିଭିନ୍ନ ସମୟରେ ଆବଶ୍ୟକତାକୁ ଧ୍ୟାନରେ ରଖି ମ୍ୟାନେଜମେଣ୍ଟ ଉପରେ ନୂତନ ପାଠ୍ୟକ୍ରମ ପ୍ରଦାନ କରିବ । ବର୍ତ୍ତମାନ ସମୟରେ ଏମସିଏଲ ଏବଂ ନାଲକୋ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଦୁଇଟି ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଏହି ପାଠ୍ୟକ୍ରମ ପାଇଁ ପ୍ରତି ବ୍ୟାଚରେ ୪୦ ଜଣ କାର୍ଯ୍ୟନିର୍ବାହୀଙ୍କୁ ମନୋନୀତ କରି ଏମସିଏଲ୍ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସେହିପରି ନାଲକୋ ପକ୍ଷରୁ ଏହି ପାଠ୍ୟକ୍ରମ ପାଇଁ ୧୫ ଜଣ କାର୍ଯ୍ୟନିର୍ବାହୀଙ୍କୁ ମନୋନୀତ କରିବା ସହ ସ୍ୱଳ୍ପ ମୂଲ୍ୟରେ ଶ୍ରେଣୀଗୃହ, କାର୍ଯ୍ୟାଳୟ ଓ ରହିବାର ବ୍ୟବସ୍ଥା କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଦୁଇଟି ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆମର କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଶିଳ୍ପ ଗତିଶୀଳତାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଟେକ୍ନୋଲୋଜି ମାଧ୍ୟମରେ ସମାଧନ କରିବା ଦିଗରେ ଦୁଇଟି ଆଇଆଇଏମ୍ ସହ ସହଯୋଗୀ ହୋଇଛନ୍ତି । ଲଜିଷ୍ଟିକ୍ସ କ୍ଷେତ୍ରକୁ ଦକ୍ଷ, ପ୍ରଯୁକ୍ତି ଭିତ୍ତିକ ଏବଂ ନିର୍ଭରଯୋଗ୍ୟ କରିବା ପାଇଁ ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ଏବଂ ଅନୁଷ୍ଠାନ ଗୁଡ଼ିକ ଭାଗିଦାରୀ କରିଛନ୍ତି । ଏହା ଆମ ଦେଶର ଅର୍ଥନୀତିର ଅର୍ଥନୈତିକ ବିକାଶ ପାଇଁ ଶୁଭ ସଙ୍କେତ ବୋଲି ସେ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media