ଅନୁଗୁଳରେ ଦୁର୍ବଳ ହେଉଛି ବିଜେଡି !!!

ଅନୁଗୁଳ – ଡବଲ ଶଙ୍ଖ ଭାରି ଦୁଃଖ , ଡବଲ ଫୁଲ ଭାରି ଭଲ । ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ବିକାଶ ତ୍ୱରାନ୍ୱିତ ହେବ ବୋଲି ବୁଧବାର ଅନୁଗୁଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଶିଷ୍ଟ ଶିକ୍ଷାବିତ୍ ମହେଶ ଚନ୍ଦ୍ର ଧଳ, ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ ଭକ୍ତି ପ୍ରସାଦ ଦାସ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ , ମାନସ ନାୟକଙ୍କ ସମେତ ବିଜେଡି ଶତାଧିକ ସମର୍ଥକମାନେ ଦଳରେ ଯୋଗଦେଇଥିଲେ । ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁବେ ପଞ୍ଚାୟତ ଡେରେଜାଙ୍ଗ ଗାଁରେ ପୃଥକ ମିଶ୍ରଣ ପର୍ବରେ ମଧ୍ୟ ଅନେକ ସାମାଜିକ ସ୍ତରର କର୍ମୀମାନେ ଯୋଗଦେଇଥିଲେ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ସହଯୋଗୀର ଦାୟିତ୍ୱ ନେବା ପାଇଁ ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଗୋଟିଏ ଦିନରେ ଦଳ ଛାଡି ଏତେ ଜଣ ତୁଙ୍ଗ ନେତା ବିଜେପିରେ ସାମିଲ ହେବା ପରେ ବିଜେପି କର୍ମୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ଅନ୍ୟପଟେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ବଳ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଏ ନେଇ ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବା ନାହି । ଯେଉଁମାନେ ମିଶିଛନ୍ତି ସେମାନଙ୍କର ବିଜେଡ଼ି ଦଳପାଇଁ ବିଶେଷ ଭୂମିକା ନଥିଲା । ଏପରିକି କୌଣସି ଦଳର ସଭାସମିତିରେ ସେମାନଙ୍କର ଦେଖା ନଥାଏ । ଏହି ମିଶ୍ରଣ ପର୍ବ ବେଳେ ଧର୍ମେନ୍ଦ୍ର କହିଛନ୍ତି ଯେ ଚଳିତ ନିର୍ବାଚନର ଲଢେଇ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତି ପାଇଁ ଲଢେଇ ହେବ । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସେମାନଙ୍କ ମୌଳିକ ଓ ନ୍ୟାୟଗତ ଅଧିକାର ପ୍ରଦାନ କରିବା । ଓଡ଼ିଆ ଅସ୍ମିତା ଅର୍ଥ ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ଉତ୍ତମ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିବାକୁ ହେବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଜେଡି ନେତାମାନେ କହୁଛନ୍ତି ସେ ନିଜେ କିମ୍ବା ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ ହୋଇଯିବ । ତେବେ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଭାରତ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ । ଏହା ଆମର ଦାବୀ ରହିଛି । ବିଜେପି କ୍ଷମତାକୁ ଆସିଲେ ଦୁଇଟି ମୋଦୀ ସ୍ୱାସ୍ଥ୍ୟ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଚଲାଇବାର ବ୍ୟବସ୍ଥା କରିବ । ଶେଷରେ ଓଡ଼ିଶା ଓ ଦେଶରେ ଡବଲ ପଦ୍ମ ଫୁଲ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored