ଅନୁଗୁଳ/ତାଳଚେର – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି ।
ତାଳଚେର ଗୋଡିବନ୍ଧ ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କଣିହାଁ ବ୍ଲକ କୁଲାବିର ଗାଁର ସୁକଦେଵ ବେହେରା । ସୂଚନା ଅନୁସାରେ ତାଳଚେର ଗୋଡିବନ୍ଧ ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ସୁକଦେଵ ରାସ୍ତାପାର ହେଉଥିବା ସମୟରେ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଅନୁଗୁଳ ସହର ଚଣ୍ଡୀ ବଜାର ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଜୀବନ ଯାଇଛି । ମୃତକ ଜଣଙ୍କ ହେଲେ କାଣ୍ଡଶର ଅଞ୍ଚକର ଶିତୁନ ବାରିକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଶିତୁନ ଏକ ମୋଟରସାଇକେଲରେ ଚଣ୍ଡୀବଜାର ପଟରୁ ଅନୁଗୁଳ ଆଡକୁ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଶିତୁନ ରାସ୍ତା ଉପରକୁ ଛିଟିକି ପଡିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିଭଳି ଅନୁଗୁଳ ସଦର ଥାନା ଶାବଳଭଙ୍ଗା ନିକଟରେ ଜଣେ ପଥଚାରୀଙ୍କୁ ଏକ ବୋଲେରୋ ଧକ୍କା ଦେବା ଫଳରେ ପଥଚାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ସଡକସାହିର ଅଥାନି ପରିଡା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଥାନି ଅପରାହ୍ନରେ ନିଜ ଘର ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅନୁଗୁଳ ପଟରୁ ବନ୍ତଳା ଆଡକୁ ଯାଉଥିବାଏକ ବୋଲେରୋ ଗାଡି ତାଙ୍କୁ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା । ପରେ ବୋଲେରୋ ଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକ ଅଥାନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସଦର ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଅନ୍ୟପଟେ ସି ସି ଟିଭି ଫୁଟେଜ ଅଧାରରେ ପୁଲିସ ବୋଲେରୋର ସନ୍ଧାନ କରୁଛି ।