ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ କରି ବନ୍ଦ କରି ଦିଆ ଯାଇଛି , ତାର ଘୋର ବିରୋଧ କରିବା ସହ ହଜାର ହଜାର ଶ୍ରମିକଙ୍କ ପେଟକୁ ଦିଆ ଯାଇଥିବା ଆଘାତର ଜବାବ ଖୁବ ଶୀଘ୍ର ଦିଆଯିବ ବୋଲି ଚେତାବନୀ ଦେଇଛି । ୧୯୬୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ ୧୯୬୮ ମସିହାଠାରୁ ଏହି ପ୍ଳାଣ୍ଟ ବିଦ୍ୟୁତ ଉତ୍ପାଦନ କରି ଚାଲିଥିଲା । ଉକ୍ତ ପ୍ଳାଣ୍ଟ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଜରିଆରେ ପରିଚାଳିତ ହେଉଥିବା ବେଳେ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ କ୍ଷତିରେ ଚାଲୁଥିବା ଦର୍ଶାଇ ଏନଟିପିସିକୁ ହସ୍ତାନ୍ତର କରିଥିଲେ । ସେହି ଦିନଠାରୁ ଉକ୍ତ ପ୍ଳାଣ୍ଟ ଲାଭ ଦେଇ ଆସୁଥିବା ବେଳେ ରାଜ୍ୟକୁ ବିଦ୍ୟୁତ ଯୋଗାଇ ଆସୁଥିଲା । ଏହା ଭିତରେ ଉକ୍ତ ପ୍ଳାଣ୍ଟ ଦୁଇଥର ଆଧୁନିକିକରଣ କରାଯାଇ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଥିଲା ଏବଂ ସେଥିରେ ପ୍ରତ୍ୟକ୍ଷ ଭାବେ ୨୫୦୦ ଶ୍ରମିକ ଉପକୃତ ହେଉଥିବା ବେଳେ ପ୍ରାୟ ୧୫୦୦୦ ପରିବାର ନିର୍ଭର କରି ଚଳି ଆସୁଥିଲେ । କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ନିଜର ପତିଆରାକୁ ଜାହିର କରିବାକୁ ଯାଇ ଆଜି ଏଭଳି ଏକ ଲାଭଦାୟକ ପ୍ଳାଣ୍ଟକୁ ବନ୍ଦ କରିଦେଲେ । ଏ ମାଟିର ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ପ୍ଳାଣ୍ଟକୁ ପୁନଃ ଚାଲୁ କରିବାକୁ ଯେଉଁଭଳି ଭାବେ ଗୋଟିଏ ଫୋନରେ ମାତ୍ର ଛଅ ଦିନର ଚକମା ଦେଖାଇଲେ, ଅନୁଗୁଳବାସୀ ସେ ନାଟକକୁ ମଧ୍ୟ ଦେଖିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧନଙ୍କ ମନ୍ତ୍ରିତ୍ଵ କାଳରେ ଏଫସିଆଇ ସାରା କାରଖାନା ବନ୍ଦ ହୋଇଥିବା ବେଳେ ଆଜି ପୁଅ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଜିଲ୍ଲାର ଆଉ ଏକ ପ୍ଳାଣ୍ଟ ବନ୍ଦ ହୋଇଗଲା । ଜାହକୁ କଂଗ୍ରେସ ଘୋର ବିରୋଧ କରିବା ସହ ଏହି ପ୍ଳାଣ୍ଟ ବନ୍ଦ ହେବା ଫଳରେ ୨୦୦୦ ଶ୍ରମିକ ନିଜର କାମ ହରାଇଛନ୍ତି, ସେମାନଙ୍କର ପରିବାରର ଲୁହ ଓ କୋହ ସମ୍ପୁର୍ଣ୍ଣ ପରିବେଶକୁ ଖରାପ କରିଦେଇଛି ବୋଲି କଂଗ୍ରେସ କହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତିନୋଟି ଦାବି ରଖାଯାଇଛି, ସେ ଦାବି ଗୁଡିକ ହେଲା ପୁରୁଣା ପ୍ଳାଣ୍ଟକୁ ଅତିଶୀଘ୍ର ଚାଲୁ କରାଯାଉ ଓ କାମ ହରାଉଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଗୁଜୁରାଣ ପୁଣି ଫେରାଇ ଦିଆଯାଉ । ଅତିଶୀଘ୍ର ୨୦୧୦ରୁ ପ୍ରସ୍ତାବିତ, ୨୦୧୮ରେ ପ୍ରଧାନମନ୍ତ୍ରୀ ଦେଇଥିବା ଶୁଭ ୧୩୨୦ ମେଗାୱାଟ ପ୍ଳାଣ୍ଟର କାର୍ଯ୍ୟାରମ୍ଭ କରାଯାଉ । ଛଟେଇ ହୋଇଥିବା ସମସ୍ତ ଶ୍ରମିକଙ୍କ ଛଟେଇ ନୋଟିସ ରଦ୍ଦ କରାଯାଇ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଉପରୋକ୍ତ ଦାବି ପ୍ରତି ଅତିଶୀଘ୍ର ଉଭୟ ସରକାର ପକ୍ଷରୁ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଓ ସେଥିପ୍ରତି ଉଭୟ ସରକାର ଦାୟୀ ରହିବେ । ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଉପରୋକ୍ତ ଦାବି ପୁରଣ ନ ହେଲେ ଅନୁଗୋଳ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ, ସାସଂଦ, ବିଧାୟକମାନଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଶ୍ରମିକ ନେତା ବିପ୍ଳବ ଜେନା, ପୂର୍ବତନ ରାଜ୍ୟ ମହିଳା ସଭାନେତ୍ରୀ ସସ୍ମିତା ବେହେରା, ଟାଉନ ସଭାପତି ସୁଦୀପ ମିଶ୍ର, ବ୍ଲକ ସଭାପତି ଅମୁଲ୍ୟ ବେହେରା , ଛାତ୍ର କଂଗ୍ରେସ ନେତା ବାପୁଜୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
+1
+1