ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ ଆସନ୍ତା ୨୫ ତାରିଖରୁ ମା‘ଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ପୁଣି କରୋନା ଦ୍ଵିତୀୟ ଲହରି ଏବଂ ବର୍ତ୍ତମାନର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପରମ୍ପରାକୁ ସମ୍ମାନ ଜଣାଇ ମା‘ଙ୍କ ପୂଜା ପାରମ୍ପରିକ ନୀତିନିୟମ ଅନୁସାରେ ହେବ । ଜନ ସମାଗମ ହେଲେ କ୍ରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ବେଳେ ପାରମ୍ପରିକ ମୁଣ୍ଡନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ମଧ୍ୟ ବାତିଲ କରା ଯାଇଛି । ତେବେ ଚଳିତ ବର୍ଷ ମା‘ ହିଙ୍ଗୁଳାଙ୍କ ମନ୍ଦିର ସମ୍ମୁଖ , ଅନୁଗୁଳ ବାସଷ୍ଟାଣ୍ଡ , ତାଳଚେର ପୌରପାଳିକା ସମ୍ମୁଖ ଶନି ମନ୍ଦିର ପାର୍ଶ୍ଵ , ସାଉଥ ବଲଣ୍ଡା ବାସଷ୍ଟାଣ୍ଡ , କୋଶଳା ଓ ସାମଲ ବ୍ୟାରେଜ ନିକଟ ଭଳି ୬ ଟି ଜନାଦୃତ ଓ ଗମନାଗମନ ସୁବିଧା ସ୍ଥାନରେ ମା’ଙ୍କ ଅସ୍ଥାୟୀ ଭୋଗ ହୁଣ୍ଡି ସ୍ଥାପନ କରାଯିବ । ସେହି ହୁଣ୍ଡିରୁ ପ୍ରତିଦିନ ୪ ଚକିଆ ଯାନ ମାଧ୍ୟମରେ ଏହି ଭୋଗ ମା‘ଙ୍କ ପାଖରେ ପହଞ୍ଚାଇ ଅର୍ପଣ କରାଯିବ । ଆଜିର ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନ , ଟ୍ରଷ୍ଟ ବୋର୍ଡର ଅନ୍ୟାନ୍ୟ ସଦସ୍ୟ , ଖଣି ଅଧିକାରୀ ଆଦି ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
+1
+1