୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ

୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ

ଅନୁଗୁଳ – କରୋନାର ଭୟାବହତା ମଣିଷ ମନରୁ ମାନବିକତା ମାରିବାକୁ ବସିଲାଣି । ଏହି ରୋଗ ପାଇଁ କେଉଁଠି ବାପ ଶବ ପୁଅ ଛୁଇଁନି ତ ଆଉ କେଉଁଠି ସ୍ବାମୀ ଶବ ସ୍ତ୍ରୀ ଉଠାଉ ନାହିଁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗାଁରେ ମଧ୍ୟ ଆଜି(ଶନିବାର) ଏଭଳି ଏକ ଅଭାବନୀୟ ଘଟଣା । ଘରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ କରୋନା ଭୟରେ ପରିବାର କି ଗାଁ ଲୋକ କେହି ବି ପାଖ ମାଡିଲେ ନାହିଁ । ଶେଷରେ ନିଜେ ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚ ମହାନତା ଦେଖାଇବା ସହ ପିପିଇ କିଟ ପିନ୍ଧି ଶବ ସତ୍କାର କରାଇଲେ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଗୋହିରାପଶି ଗାଁର ଗୋବିନ୍ଦ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି ସନ୍ଧ୍ୟା ୮ ଟା ବେଳେ ଅସ୍ୱାବଭିକ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଓ ଗାଁରେ ଖେଳି ଯାଇଥିଲା ଭୟ । କରୋନାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଭାବି ମୃତଦେହ ପାଖ କେହି ମାଡି ନଥିଲେ । ଗାଁ ଲୋକ ତ ଦୂରର କଥା ପରିବାର ଲୋକ ମଧ୍ୟ ମୃତଦେହ ପାଖରୁ ଦୁରେଇ ଯାଇଥିଲେ । ଫଳରେ ଆଜି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୃତଦେହ ପଡି ରହିଥିଲା । ଖବର ପାଇ ଛେଣ୍ଡିପଦା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗାଁ ଲୋକ ଓ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଫଳ କିଛି ହେଲା ନାହିଁ । ଏପରିକ ଆଶା କର୍ମୀ ଥିବା ଗୋବିନ୍ଦଙ୍କ ବୋହୁ ମଧ୍ୟ ସହଯୋଗ କରିବାକୁ ମନା କରିଦେଇଥିଲେ । ଏପରି କ୍ଷେତ୍ରରେ ମହାନତା ଦେଖାଇଥିଲେ ଛେଣ୍ଡିପଦା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟ , ବାହାଳସାହି ସରପଞ୍ଚ ନାରାୟଣ  ବେହେରା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ପ୍ରଧାନ ବୁଝାସୁଝା କରିବା ପରେ ପୁଅ ମୁନା ମାଝୀଙ୍କ ସହ ସେମାନେ ନିଜେ ପିପିଇ କିଟ ପିନ୍ଧି ଶବକୁ କାନ୍ଧେଇ ନେଇ ଯାଇଥିଲେ ମଶାଣି । ଆଉ କୋଭିଡ ନିୟମ ଅନୁସାରେ ସେଠାରେ ଶବ ସତ୍କାର କରାଇଥିଲେ । ତେବେ ଏଭଳି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ମୃତ୍ୟୁ ପରେ ପରିବାର ଓ ଗାଁ ଲୋକ ଦୁରେଇ ଯିବାକୁ ନିନ୍ଦା କରାଯାଉଥିବା ବେଳେ ବିଡ଼ିଓ ତାଙ୍କ ସହଯୋଗୀ ମାନଙ୍କ ମହାନତାକୁ ପ୍ରଶଂସା କରାଯାଉଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply