ଦୁର୍ଗାମଣ୍ଡପକୁ ସିଲ କଲା ପ୍ରଶାସନ

ଦୁର୍ଗାମଣ୍ଡପକୁ ସିଲ କଲା ପ୍ରଶାସନ

ଅନୁଗୁଳ – ଅନୁଗୁଳ ସହରର ଅମଲାପଡାସ୍ଥିତ ସର୍ବ ପୁରାତନ ଦୁର୍ଗା ମଣ୍ଡପକୁ ନିଜ ଅକ୍ତିଆରକୁ ନେଇଛି ପୌର ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହାୟତାରେ ଆଜି ମଣ୍ଡପ ପରିସରରେ ଥିବା ତିନୋଟି ବିବାହ ମଣ୍ଡପ ସମେତ ମୁଖ୍ୟ ଫାଟକକୁ ସିଲ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ସହରର ଥିବା ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ଅମଲାପଡାର ଦୂର୍ଗା ମଣ୍ଡପ ବେଶ ପ୍ରସିଦ୍ଧ । ଦୂର୍ଗା ପୂଜା ସମୟରେ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏହି ମଣ୍ଡପରେ ମା‘ଙ୍କ ପୂଜା କରିଥାନ୍ତି । କେବଳ ପୂଜା କାହିଁକି , ମଣ୍ଡପକୁ ଲାଗି ରହିଥିବା ପଡିଆ ଉପରେ ମଧ୍ୟ ସ୍ଥାନୀୟ ଲୋକ ନିର୍ଭର କରୁଥିଲେ । ବିବାହ , ବ୍ରତଠାରୁ ଆରମ୍ଭ କରି ଅମଲାପଡାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ କରା ଯାଉଥିଲା । ତେବେ ଏହି ଦୁର୍ଗା ପଡିଆରେ କିଛି ବର୍ଷ ହେଲା ବେହେରା ଟେଣ୍ଟ ହାଉସ ନାମକ ଏକ ସଂସ୍ଥା ଦୁଇଟି ବଡ଼ ବଡ଼ ବିବାହ ମଣ୍ଡପ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଆସୁଥିଲେ । ତାଙ୍କୁ ପୂଜା ମଣ୍ଡପ ପକ୍ଷରୁ ଅନୁମତି ଦିଆ ଯାଇଛି ବୋଲି ସେ କହି ଆସୁଥିଲେ । ତେବେ ଏହି ମଣ୍ଡପରେ ପୌରପାଳିକା ଟଙ୍କାରେ ଏକ କଲ୍ୟାଣ ମଣ୍ଡପ ହୋଇଥିବା ବେଳେ ସାଂସଦ ପାଣ୍ଠିରୁ ଏକ ମଣ୍ଡପ ତିଆରି ହୋଇଛି । ସରକାରୀ ଟଙ୍କାରେ ଏବଂ ସରକାରୀ ଜାଗାକୁ ବ୍ୟବସାୟୀକରଣ କରା ଯାଉଥିବା ଯୋଗୁଁ ଏହି ଜାଗାକୁ ଆଜି ସିଲ କରାଯାଇ ପୌର ପ୍ରଶାସନ ନିଜ ହାତକୁ ନେଇଛି ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ପୌରପାଳିକାର ଏହି ସମ୍ପତ୍ତି ହେଇଥିବାରୁ ତାକୁ ପୌରପାଳିକା ତା ହାତକୁ ନେଇଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ବେହେରା ଟେଣ୍ଟ ହାଉସ ମାଲିକ କହିଛନ୍ତି ଯେ ସେମାନେ କୌଣସି ପ୍ରକାର ଜବରଦଖଲ କରିନଥିଲେ । ତାଙ୍କୁ ପୂଜା କମିଟିର କିଛି କର୍ମକର୍ତ୍ତା ଏଠାରେ ଜାଗା ଦେଇଥିଲେ । ବଦଳରେ ଦଶହରା ସମୟରେ ସମସ୍ତ ପ୍ରକାର ସହାୟତା ଦେବାକୁ ମଧ୍ୟ କହିଥିଲେ । କିନ୍ତୁ ଗତକାଲି ପ୍ରଶାସନ ନୋଟିସ ପଠାଇ ଆଜି ଏହାକୁ ସିଲ କରିଛି । ଏହି ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply